ନୂଆଦିଲ୍ଲୀ, ଏଜେନ୍ସି: କେନ୍ଦ୍ର ସରକାର ସରକାରୀ ବିମାନ କମ୍ପାନୀ ଏୟାର୍ ଇଣ୍ଡିଆର ବିକ୍ରି ପାଇଁ ଆବେଦନ ଗ୍ରହଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗାମୀ ସେପ୍ଟେମ୍ବର ସୁଦ୍ଧା ସରକାର ଏହି ପ୍ରକ୍ରିୟାକୁ ସମାପ୍ତ କରିପାରିବେ ବୋଲି ଆଶା ପ୍ରକାଶ କରାଯାଉଛି। ସୂଚନାଯୋଗ୍ୟ ଯେ କ୍ଷତିରେ ଚାଲୁଥିବା ସରକାରୀ ବିମାନ କମ୍ପାନୀ ଏୟାର୍ ଇଣ୍ଡିଆକୁ ବିକ୍ରି କରିବାର ପ୍ରୟାସରେ ଗତ ଡିସେମ୍ବର ମାସରେ ସରକାର ଏଥିପାଇଁ ଆଗ୍ରହର ଅଭିବ୍ୟକ୍ତି ଆହ୍ୱାନ କରିଥିଲେ। ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ସମେତ ଅନ୍ୟ କିଛି କମ୍ପାନୀ ଏଥିପାଇଁ ଆଗ୍ରହର ଅଭିବ୍ୟକ୍ତି (ଇଓଆଇ) ଦାଖଲ କରିଥିଲେ। ପ୍ରାରମ୍ଭିକ ଯାଞ୍ଚ ପରେ କେବଳ ଟାଟା ଓ ସ୍ପାଇସଜେଟ୍ ଅନ୍ତିମ ସୂଚୀରେ ରହିଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।