ପୁନଃ ନିଯୁକ୍ତି ଦାବିରେ ପୂର୍ବତନ ଆହାର କେନ୍ଦ୍ର କର୍ମଚାରୀଙ୍କ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ପରେ ଝାରସୁଗୁଡା ଜିଲ୍ଲାର ଆହାର କେନ୍ଦ୍ରଗୁଡିକ ଖୋଲିବା ପରେ ପୂର୍ବ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇ ଏହାର ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପ ହାତରେ ନ୍ୟସ୍ତ କରାଯାଇଛି। ଏହାର ପ୍ରତିବାଦରେ ଆହାରକେନ୍ଦ୍ରର ପୁରୁଣା କର୍ମଚାରୀମାନେ ପୁନଃ ନିଯୁକ୍ତି ଦାବିରେ ଗତ ୨ ତାରିଖ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବାପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନେ କହିଛନ୍ତି ଦୀର୍ଘ ୭ ମାସ ଆହାର କେନ୍ଦ୍ର ବନ୍ଦ ହେବାପରେ ବେରୋଜଗାର ହୋଇଯାଇଥିଲେ।

ତେବେ ଏହା ଖୋଲିଲା ପରେ ହଠାତ ଚାକିରିରୁ ବାହାର କରି ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପକୁ ଦିଆଯିବା ତାଙ୍କ ପ୍ରତି ଅନ୍ୟୟ ଅଟେ। ଏହି ପୁରୁଣା କର୍ମଚାରୀମାନେ ଚାରିବର୍ଷ ହେଲାଣି ମାତ୍ର ୪୨ଶହ ଟଙ୍କାରେ ଆହାର କେନ୍ଦ୍ରରେ କାମ କରି ଆସୁଥିଲେ। ସେମାନଙ୍କ ମଧ୍ୟରେ ଅନେକ ବିଧବା ମହିଳା ମଧ୍ୟ ରହିଛନ୍ତି। ଏ ସମସ୍ତଙ୍କୁ ଚାକିରିରୁ ବାହାର କରି ଏସଏଚଜି ଗ୍ରୁପକୁ ଅଧିକ ଟଙ୍କା ବିନିମୟରେ ପରିଚାଳନା ଦାୟିତ୍ୱ ଦେବା ସମସ୍ତ ପୁରୁଣା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ଅଟେ। ତେଣୁ ଗତ ୭ ମାସର ଦରମା ପୁରୁଣା କର୍ମଚାରୀଙ୍କୁ ପ୍ରଦାନ କରିବାସହ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ପୁରୁଣା କର୍ମଚାରୀମାନେ ଦାବି କରିଛନ୍ତି।