ହୋମ୍ ଷ୍ଟେ’ ସୁବିଧାକୁ ପ୍ରୋତ୍ସାହିତ କରିବେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶା ପର୍ଯ୍ୟଟନକୁ ସୁଦୃଢ଼ କରିବାକୁ ପ୍ରକୃତି-ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ହୋମ୍-ଷ୍ଟେ’ ସୁବିଧାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଯେଉଁ ଅଞ୍ଚଳରେ ହୋଟେଲ୍ ସୁବିଧା ନାହିଁ, ସେଠାରେ ହୋମ୍ ଷ୍ଟେ’ ସୁବିଧାକୁ ବିକଶିତ କରିବାକୁ ମୁଖ୍ୟ ସଚିବ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ହୋମ୍ ଷ୍ଟେ’ ସୁବିଧାରେ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ଆତିଥ୍ୟ, ସ୍ୱଚ୍ଛତା ଏବଂ ନିରାପତ୍ତା ସୁନିଶ୍ଚିତ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହୋମ୍ ଷ୍ଟେ’ ସୁବିଧାକୁ ବିଶ୍ୱସ୍ତରୀୟ ଅନଲାଇନ୍ ଟ୍ରାଭେଲ୍ ଏଗ୍ରିଗେଟରଗୁଡ଼ିକ ସହ ଲିଙ୍କ୍ କରାଯିବା ଉଚିତ୍ ବୋଲି ସେ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାର ସମ୍ଭାବନା ହୋମ୍ ଷ୍ଟେ’ ସୁବିଧାରେ ରହିଥିବାରୁ ସ୍ଥାନୀୟ ହୋମ୍ ଷ୍ଟେ’ ୟୁନିଟ୍ ମାଲିକ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସଠିକ୍ ଭାବେ ତାଲିମ୍ ପ୍ରଦାନ କରିବାକୁ ମୁଖ୍ୟ ସଚିବ ପର୍ଯ୍ୟଟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ବର୍ତ୍ତମାନ ମଙ୍ଗଳାଯୋଡ଼ି ଓ ଡାଙ୍ଗମାଳଠାରେ ଥିବା ହୋମ୍ ଷ୍ଟେ’ ସୁବିଧା ବେଶ୍ ଉତ୍ସାହଜନକ ହୋଇଛି। ଏପରି ସୁବିଧା ଅନ୍ୟସ୍ଥାନମାନଙ୍କରେ ହେବା ଦ୍ୱାରା ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ ଏବଂ ଗ୍ରାମୀଣ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକଳାପ ବିସ୍ତାର ହେବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରୁ ଆଗାମୀ ୧୦ ବର୍ଷ ପାଇଁ ହୋମ୍ ଷ୍ଟେ’ ସୁବିଧାକୁ ସହାୟତା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରତ୍ନଗିରି-ଉଦୟଗିରି-ଲଳିତଗିରି, ଓକଦେଲି, ଖୋଲ, ଗୁପ୍ତି, ଡାଙ୍ଗମାଳ, ଭିତରକନିକା, ଦାରିଙ୍ଗିବାଡ଼ି, ବେଲଘର, ସିମିଳିପାଳ, ପୀଠବାଟ, ଟିକରପଡ଼ା, ସାତକୋଶିଆ, ମଙ୍ଗଳାଯୋଡ଼ି, ଚିଲିକା ଆଦି ସ୍ଥାନରେ ହୋମ୍ ଷ୍ଟେ’ ସୁବିଧାକୁ ବିକଶିତ କରିବା ପାଇଁ ପ୍ରାଥମିକତା ଦିଆଯିବ। ପାଖାପାଖି ୮୦ ହୋମ୍ ଷ୍ଟେ’ ପ୍ରଦାନକାରୀ ଏସବୁ ଅଞ୍ଚଳ ପାଇଁ ପ୍ରତିବର୍ଷ ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରତ୍ୟେକ ହୋମ୍ ଷ୍ଟେ’ ୟୁନିଟ୍ ଅତିଥିଙ୍କ ପାଇଁ ୧-୬ ରୁମ୍ (ସର୍ବାଧିକ ୧୨ ବେଡ୍) ଛାଡ଼ି ପାରିବେ। ଲେଟେବୁଲ୍ ରୁମ୍ଗୁଡ଼ିକ ସେହି ସ୍ଥାନରେ ରହିବା ଆବଶ୍ୟକ, ଯେଉଁଠି ମାଲିକ କିମ୍ବା ତାଙ୍କର ପରିବାର ସଦସ୍ୟ ରହୁଥିବେ। ମାଲିକ ଅଥବା ତାଙ୍କ ପରିବାର ସଦସ୍ୟ ଅତିଥିଙ୍କୁ ଆତିଥେୟତା ପ୍ରଦାନରେ ସିଧାସଳଖ ସମ୍ପୃକ୍ତ ରହିବା ଦରକାର। ଗୋଟିଏ ରୁମ୍ ସର୍ବନିମ୍ନ ୧୨୦ ବର୍ଗ ଫୁଟ୍ ହେବା ସହ ବାଥ୍ରୁମ୍ ଏବଂ ଶୌଚାଳୟ ସଂଲଗ୍ନ ରହିବା ଉଚିତ୍। ଏହାଛଡ଼ା ପଙ୍ଖା ଏବଂ ଏୟାର କୁଲର ବ୍ୟବସ୍ଥା, କିଚେନ୍, ପାୱାର ବ୍ୟାକ୍, କୀଟ ନିୟନ୍ତ୍ରଣ ଏବଂ ପାଷ୍ଟଏଡ୍ ସୁବିଧା ହୋମ୍ ଷ୍ଟେ’ ୟୁନିଟରେ ରହିବା ଆବଶ୍ୟକ। ହୋମ୍ ଷ୍ଟେ’ ୟୁନିଟଗୁଡ଼ିକରେ ଅତିରିକ୍ତ ସୁବିଧା ଏବଂ ଉପଯୁକ୍ତ ସାଜସଜ୍ଜା ଲାଗି ମାଲିକମାନଙ୍କୁ ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ ନେଇ ସବିଶେଷ ତଥ୍ୟ ବାହାର କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡଃ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ପର୍ଯ୍ୟଟନ ସଚିବ ବିଶାଳ ଦେବ, ବନ୍ୟପ୍ରାଣୀ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।