୪୦୧.୬ କୋଟିରେ ହେବ କୃଷି ଉତ୍ପାଦନ କ୍ଲଷ୍ଟର

ଭୁବନେଶ୍ୱର,ଏନ୍ଏନ୍ଏସ୍: କୃଷିଭବନଠାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ୱିତୀୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆସନ୍ତା ୪ ବର୍ଷରେ ୪୦୧.୬ କୋଟି ଟଙ୍କା ବ୍ୟୟରେ କୃଷି ଉତ୍ପାଦନ କ୍ଲଷ୍ଟର କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା।

କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରି କହିଲେ ଯେ, ଉଦ୍ୟାନ କୃଷି, ଫଳଚାଷ, ଫଳ ବଗିଚା ନିମନ୍ତେ ଚାରାରୋପଣ, ବିଭିନ୍ନ ଯୋଜନାରେ ଜଳସେଚନର ସୁବିଧା, ଛେଳି ଏବଂ ବାଡ଼ି ଅଗଣା କୁକୁଡ଼ା ଚାଷୀ ନିମନ୍ତେ ଘର ନିର୍ମାଣ ବ୍ୟବସ୍ଥା କରାଯାଇଛି। ଜନଜାତି ବହୁଳ ଅଞ୍ଚଳର ଏହାର କୃଷି ଉଦ୍ୟୋଗୀଙ୍କ ନିମନ୍ତେ ଏକ ମଡେଲ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ, ଏହି ପ୍ରକଳ୍ପରେ ଉନ୍ନତ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ। ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। ଉନ୍ନତ ଜ୍ଞାନକୌଶଳକୁ ମଧ୍ୟ ଟ୍ରେଲିଜ୍, ପଲି ହାଉସ୍ ଏବଂ ନର୍ସରୀ ଆଦି କ୍ଷେତ୍ରରେ ବହୁଳ ବ୍ୟବହାର ଉପରେ ଡ. ଗର୍ଗ ପରାମର୍ଶ ଦେଇଥିଲେ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟଜଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ୍ ଓ ‘ପ୍ରଦାନ’ର ମିଳିତ ସହଯୋଗରେ ରାଜ୍ୟର ଜନଜାତି ବହୁଳ ୧୨ଟି ଜିଲ୍ଲାର ୪୦ଟି ବ୍ଲକ୍ରେ ଏହି କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ୪ ବର୍ଷରେ ୪୦୧.୬କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ପ୍ରାୟ ୧ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ।

ଏହି ଯୋଜନାରେ ୬୫୦ଟି ଉତ୍ପାଦନ ଗୋଷ୍ଠୀ ଓ ୩୦ଟି ଉତ୍ପାଦନ କମ୍ପାନୀ ଗଠନ କରାଯିବ। ସେହିପରି ୭୫୦ ଜଣ ବଜାର ସଂଯୋଜନ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଏହି ଯୋଜନା ଅନ୍ତର୍ଗତ ୪୦ପ୍ରତିଶତ ଜମିରେ ବିନା କୀଟନାଶକରେ ଫସଲ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୪୦ହଜାର ଚାଷୀ ପରିବାରଙ୍କ ଆୟ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି, ଛେଳି, ମେଣ୍ଢା, କୁକୁଡ଼ା, ଆଦି ପାଳନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

ଜୀବିକା ନିର୍ବାହ ନିମନ୍ତେ ୧୬ ହଜାର ଏକର ଜମିରେ ଜଳସେଚନ, ୮ହଜାର ଏକର ଜମିରେ ଫଳ ବଗିଚା, ୭୦ ହଜାର ଏକର ଜମିରେ କୃଷି ଯନ୍ତ୍ରପାତି ବ୍ୟବହାର ସୁବିଧା ଯୋଗାଯିବ। ଛେଳି, ମେଣ୍ଢା ଓ ବାଡ଼ିଅଗଣାରେ କୁକୁଡ଼ା ଚାଷ ନିମେନ୍ତ ପ୍ରାୟ ୩୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ଯୋଜନାରେ ସଂଶ୍ଲିଷ୍ଟ କରାଯାଉଛି।