ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ଦିଲ୍ଲୀ ବୋର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଧାରଣାସ୍ଥଳରେ କୃଷକମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଶ୍ରୀ ତୋମାର କହିଛନ୍ତି ଯେ, ଏହି ଆଇନ ଦ୍ୱାରା କୃଷକଙ୍କୁ ସାହାଯ୍ୟ କରିବା ଓ କୃଷି କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବା ସରକାରଙ୍କର ଉଦ୍ଦେଶ୍ୟ ଥିଲା। କିନ୍ତୁ କୃଷକ ସରକାରଙ୍କ ଉଦ୍ଦେଶ୍ୟକୁ ବୁଝିପାରିଲେ ନାହିଁ।
ନରେନ୍ଦ୍ର ସିଂହ ତୋମାର ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସଂସଦରେ ୩ଟି ବିଲ୍ ଆଣିଥିଲେ। ଏଥିରୁ କୃଷକଙ୍କୁ ଲାଭ ମିଳିଥାନ୍ତା। କିନ୍ତୁ ଦେଶର କିଛି କୃଷକଙ୍କୁ ଆମେ ଏହାର ଉପକାରିତା ସମ୍ବନ୍ଧରେ ବୁଝାଇବାରେ ବିଫଳ ହେଲୁ ବୋଲି ଦୁଃଖ ଲାଗୁଛି।