ମହାରାଷ୍ଟ୍ରରେ ୨ ସପ୍ତାହ ସମ୍ପୂର୍ଣ୍ଣ ଲକଡାଉନ ପାଇଁ ଟାସ୍କଫୋର୍ସର ପ୍ରସ୍ତାବ

ମୁମ୍ବାଇ,ଏଜେନ୍ସି: ସମଗ୍ର ମହାରାଷ୍ଟ୍ରରେ ମହାମାରୀ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଥିବାରୁ ଦିନେ କି ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ କୋଭିଡ ଟାସ୍କଫୋର୍ସ ସହିତ ଆଲୋଚନା କରିବା ପରେ କହିଛନ୍ତି।

କୋଭିଡ ଟାସ୍କ ଫୋର୍ସ ବୈଠକରେ ଅଧିକାଂଶ ସଦସ୍ୟ ୧୫ ଦିନିଆ କଡା ଲକଡାଉନ ପାଇଁ ସୁପାରିଶ କରିଛନ୍ତି। ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ ବୋଲି ଟାସ୍କଫୋର୍ସ ବିଶେଷଜ୍ଞମାନେ କହିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୫ ଦିନିଆ ଲକଡାଉନକୁ ସମର୍ଥନ କରିଥିବା ଜଣାପଡିଛି। ଏନେଇ ସିଏମ ଉଦ୍ଧବ ଠାକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଏକ ବୈଠକ କରିବେ। ପରେ ଲକଡାଉନ ହେବ କି ନାହିଁ, ସେ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟରେ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଆବଶ୍ୟକ ମୁତାବକ ହସ୍ପିଟାଲରେ ଶଯ୍ୟା ଉପଲବ୍ଧ ହୋଇପାରୁନି। ଏହାସହ ଅକ୍ସିଜେନ ଅଭାବ ମଧ୍ୟ ସମସ୍ୟାକୁ ଆହୁରି ଗମ୍ଭୀର କରିବାରେ ଲାଗିଛି।