ଜନନୀ ଯନ୍ତ୍ରଣା: ପୁଣି ୩କିଲୋମିଟର ଭାରରେ ବୁହାହେଲେ ପ୍ରସୂତି

କୋରାପୁଟ,ଏନ୍ଏନ୍ଏସ୍: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଥିବାରୁ ରୋଗୀ ନିକଟକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ୩ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଘଟଣା ପୁଣି କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି।

କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ୍ ପାଇକଫୁଲବେଡ଼ ପଞ୍ଚାୟତ ଅନ୍ତର୍ଗତ ଓଡ଼ପୁର ଗାଁର ଟଙ୍କ ଗୌଡ଼ଙ୍କର ପତ୍ନୀ ଦ୍ରୁପତି ଗୌଡ଼ଙ୍କୁ ଶନିବାର ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ଗର୍ଭବତୀଙ୍କ ନିକଟକୁ ଆସିପାରିନଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ୩ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ପରିବାର ଲୋକେ ବୋହି ନେଇଥିଲେ।

ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ୩୦କିଲୋମିଟର ଦୂରରେ ଥିବା କୋରାପୁଟ ସଦର ମହକୁମାଠାରେ ଥିବା ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ଓଡ଼ପୁର ଅଞ୍ଚଳ ପାଇଁ ଏହା ଏହା ନୂଆ କଥା ନୁହେଁ । ସେହିପରି କିଛି ମାସ ପୂର୍ବେ ସେହି ଗ୍ରାମର ଗର୍ଭବତୀ ମହିଳା ପ୍ରସବ ବେଦନା ଯୋଗୁ କୋରାପୁଟ ମେଡ଼ିକାଲ ଭାରରେ ବୋହିକି ୩କିମି ଦୂରରେ ଥିବା ଗାଡି ପାଖକୁ ନେଉଥିବା ସମୟରେ ରାସ୍ତାରେ ହିଁ ପ୍ରସବ ହୋଇଥିଲା ।

ଏଠାରେ ଓଡ଼ପୁର, ବାଉଁଶଗୁଡା, ହାତିମୁଣ୍ଡା ଗ୍ରାମ ଲୋକମାନେ ବସବାସ କରନ୍ତି। ଏମାନେ ଚାଷୀ ,ଦିନ ମଜୁରିଆ ଏବଂ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଅନେକ ଥର ଓଡ଼ପୁର ,ବାଉଁଶଗୁଡା ଏବଂ ହତିମୁଣ୍ଡା ଗ୍ରାମବାସୀ ରାସ୍ତା ନିର୍ମାଣ ନିମନ୍ତେ ବିଧାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ ମଧ୍ୟ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି।