ପୁଣି ଜନନୀ ଯନ୍ତ୍ରଣା, ପାହାଡିଆ ରାସ୍ତାରେ ୨ କିଲୋମିଟର ଚାଲିଲେ ପ୍ରସୂତି ମହିଳା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖାଦେଇଛି। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ୨ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଚଲାଇଚଲାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିବା ଦେଖାଯାଇଛି। ଏପରି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ଦୁର୍ଗମ ମାଓପ୍ରବଣ ଅଞ୍ଚଳ ତେନ୍ତୁଳିପଦର ଗ୍ରାମରେ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ଦନାଇ ଖରାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦି, ମହିଳା ସ୍ୱାସ୍ଥ୍ୟକର୍ମୀ ୧୦୮ ଆମ୍ବୁଲାନ୍ସଙ୍କୁ ଡାକିଥିଲେ। ପାହାଡ ଉପରେ ତେନ୍ତୁଳିପଦର ଗାଁ ଥିବାରୁ ଗ୍ରାମକୁ ରାସ୍ତା ଯୋଗଯୋଗ ନଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ଯାଇପରି ନଥିଲା। ଫଳରେ ବାଧ୍ୟହୋଇ ପ୍ରସୂତିଙ୍କ ସ୍ୱାମୀ ବୁଦୁରାମ ଗର୍ଭବତୀଙ୍କୁ ୨ କିଲୋମିଟର ପାହାଡ଼ ଉପରୁ ଚଲାଇ ଆଣିଥିଲେ। ମହିଳା ସ୍ୱାସ୍ଥ୍ୟକର୍ମୀ ଆଶା ଦିଦି ଆମ୍ବୁଲାନ୍ସ ସହିତ ପାହାଡ଼ ତଳେ ଅପେକ୍ଷା କରିଥିଲେ।

ପରେ ସେଠାରୁ ତାଙ୍କୁ ନିକଟସ୍ଥ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ତେବେ ତେନ୍ତୁଳିପଦର ଗାଁକୁ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ରାସ୍ତା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।