ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ସୀମାରେ ଏବେବି ଚାଷୀମାନେ ଧାରଣାରେ ବସିରହିଛନ୍ତି। ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବା ପାଇଁ ପୁଣି ଥରେ ସରକାର ଆମନ୍ତ୍ରଣ ପଠାଇଛନ୍ତି। ଆଜି ଯୁଗ୍ମ ଚାଷୀଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଆଗାମୀ ଦିନର ରଣନୀତି ନିର୍ଦ୍ଧାରଣ ହେବ।
୩ଟି କୃଷି ଆଇନକୁ ବିରୋଧ କରି ପ୍ରାୟ ଏକ ମାସ ହେବ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି। ଦିନକୁ ଦିନ ଏହା ଆହୁରି ତୀବ୍ର ରୂପ ନେଉଛି। ଆନ୍ଦୋଳନସ୍ଥଳରେ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାର ଆନ୍ଦୋଳନ ଶେଷ କରିବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନେ କିନ୍ତୁ ପୂର୍ବ ଭଳି ଅମଙ୍ଗ ରହିଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଗୁରୁବାର ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିଥିଲେ। ବିଜୟ ଛକ ଠାରୁ ରାଷ୍ଟ୍ରପତି ଭବନ ଯାଏଁ ଏହି ପଦଯାତ୍ରା ବାହାରିଥିଲା। ଏହି ଅବସରରେ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟିର ଅନ୍ୟ ସାଂସଦ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟରେ ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ପ୍ରଦର୍ଶନକାରୀ ଚାଷୀ ସଂଗଠନଙ୍କ ନେତାଙ୍କୁ ଚିଠି ଲେଖି ସେମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସର୍ବନିମ୍ନ ସମର୍ଥନ ମୂଲ୍ୟ ସଂପର୍କିତ କୌଣସି ନୂଆ ଦାବିକୁ ଏଜେଣ୍ଡାରେ ସାମିଲ କରିବା ତର୍କ ହେବ ନାହିଁ। କାରଣ କୃଷି ଆଇନ ସହିତ ଏହାର କୌଣସି ସଂପର୍କ ନାହିଁ।