ବ୍ରାହ୍ମଣୀ ଗାଁ’ରେ ହାତୀ ଆତଙ୍କ: ଭାଙ୍ଗିଲା ଦୁଇ ଘର, ଫସଲ ନଷ୍ଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁ’ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବ୍ରାହ୍ମଣୀ ଗାଁ’ରେ କିଛିଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ହାତୀ ଆସି ଆତଙ୍କ କରୁଥିବା ଦେଖାଦେଇଛି। ଯାହା ଫଳରେ ଲୋକେ ରାତି ହେଲେ ଭୟଭିତ ହୋଇ ପଡୁଛନ୍ତି।

ଗତ ରାତିରେ ଗାଁ’ର ପୁଷ୍ପା ରଣା ଓ କସ୍ତୁରୀ ରଣାଙ୍କ ଘରକୁ ହାତୀ ଭାଙ୍ଗି ଦେଇଥିବା ଜଣାଯାଇଛି। ସେହିପରି ଗାଁ’ର ପ୍ରଗତି ଏସଏସଜି ପ୍ରସ୍ତୁତି କରିଥିବା ସଜନା ଚାରାକୁ ମଧ୍ୟ ହାତୀ ନଷ୍ଟ କରିଥିବା ବେଳେ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଜଙ୍ଗଲ ବିଭାଗ ତରଫରୁ ବନପାଳ ଅରବିନ୍ଦ ଧରୁଆ ସଦଳବଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ସଚେତନ କରୁଥିବା ଜଣାଯାଇଛି।

ଏନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ପଚାରିବାରୁ କିଛି ଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ଦୁଇଟି ହାତୀ ଆସି ଉପଦ୍ରବ କରୁଥିବା କହିଥିବା ବେଳେ ଲୋକଙ୍କୁ ବନବିଭାଗ ତରଫରୁ ସଚେତନ କରାଯାଉଛି ଏବଂ ହାତୀ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ସରକାରୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଠିକ ବର୍ଷେ ତଳେ ବ୍ରାହ୍ମଣୀ ଗାଁ’ର ଯାଦବ ରଣାଙ୍କୁ ହାତୀ କଚାଡି ମାରିଥିଲା। ଏବେ ବର୍ଷେ ପରେ ପୁଣି ସେହି ଘରକୁ ଆସି ତାଙ୍କ ଘର ଭାଙ୍ଗିବା ଫଳରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।