କଟକ,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ୍ ଫେରିଛି। କଟକ ଜିଲ୍ଲାର ନିଆଳି ବ୍ଲକ୍ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଉକ୍ତ ଗାଁରେ ଗୋଟିଏ ଦିନରେ ଜଣେ ମୃତ ଓ ୧୪ ଜଣ ପଜିଟିଭ ଚିହ୍ନଟ ହେବା ପରେ କଟକ ଉପଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ଗାଁରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ଗୁରୁତର ମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ଏହି ଗ୍ରାମରେ ୩୦ଟି ପରିବାର ରୁହନ୍ତି। ଏହି କଣ୍ଟେନମେଣ୍ଟ ଜୋନ୍ ସମୟରେ କୌଣସି ବାହାର ଲୋକଙ୍କ ଗାଁକୁ ପ୍ରବେଶ ଓ ଉକ୍ତ ଗାଁ ଲୋକ ବାହାରକୁ ଆସିବା ନେଇ କଟକଣା ଲଗାଯାଇଛି।