ମାଲକାନଗିରି,ଏନଏନଏସ୍: କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ପୁଲିସର କର୍ତ୍ତବ୍ୟ ପରାୟଣତାର ଭିନ୍ନ ଭିନ୍ନ ଚିତ୍ର ପ୍ରତିଦିନ ଦୃଷ୍ଟାନ୍ତ ହେଉଛି। ସେହିପରି ପୁଲିସର ଏକ ରୂପ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଛକରେ ମଧ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଏସଆଇ ଶୁଭଶ୍ରୀ ଭବାନୀ ନାୟକ ଡ୍ୟୁଟି ସମୟରେ ଭୋକିଲା ବୃଦ୍ଧାଙ୍କୁ ଦେଖି ନିଜର ଖାଦ୍ୟ ଓ ପାନୀୟ ଜଳ ପ୍ରଦାନ କରିବା ସହ ହାତରେ ଖୁଆଇ ଦେଇଥିଲେ। ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ତେବେ ରବିବାର ବିଶ୍ୱ ମାତୃ ଦିବସ ପାଳିତ ହୋଇଥିବା ବେଳେ ଶୁଭଶ୍ରୀ ଜଣେ ବୃଦ୍ଧା ମା’ଙ୍କୁ ସାହାଯ୍ୟ କରିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଦେଖି ସାଉଥ ମେଗାଷ୍ଟାର ଚିରଞ୍ଜିବି ଓ ତାଙ୍କ କନ୍ୟା ଫୋନ ଯୋଗେ ଶୁଭଶ୍ରୀଙ୍କ ସହ କଥା ହୋଇ ପ୍ରଶଂସା କରିଥିଲେ। ଏଥି ସହିତ ଏପରି ସାହାଯ୍ୟ କରିବାକୁ ମନରେ କିଭଳି ଆସିଲା ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମହିଳା ଜଣଙ୍କ ଭୋକିଲା ଥିବା ଜାଣି ତାଙ୍କୁ ଖୁଆଇ ଦେଲି ବୋଲି ଶୁଭଶ୍ରୀ କହିଥିଲେ। ତାଙ୍କ ଉତ୍ତର ଶୁଣି ଚିରଞ୍ଜିବି ଖୁସି ପ୍ରକଟ କରିବା ସହ କରୋନା ଭୂତାଣୁ ସଂକ୍ରମଣ ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।
ଜଣେ ମା’ ଆଉ ଜଣେ ଅସହାୟ ଭୋକିଲା ମା’କୁ ସାହାଯ୍ୟ କରି ଯେଭଳି ପ୍ରେମ ଦେଖାଇଛନ୍ତି ସେଥିରୁ ଆମକୁ କିଛି ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି। ଆଜିର ଦିନରେ ଜଣେ ଅନ୍ୟକୁ ଛୁଇଁବାକୁ ଭୟ କରୁଥିବା ବେଳେ ଏସଆଇ ଜଣକ ଅସହାୟ ମା’ର ଭୋକ ମେଣ୍ଟାଇଥିଲେ ଯାହାକୁ ଦେଖି ମୁଁ ଆତ୍ମବିଭୋର ହୋଇ ପଡ଼ିଥିଲି ବୋଲି ଚିରଞ୍ଜିବି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ତେବେ ମେଗାଷ୍ଟାର ଚିରଞ୍ଜିବି ମୋତେ ଫୋନ୍ କରିବାକୁ ନେଇ ମୁଁ ମଧ୍ୟ ଆନନ୍ଦିତ। ସେ ଓ ତାଙ୍କ ଝିଅ ମୋତେ କଲ କରିବେ ବୋଲିି ମୁଁ କେବେ ଭାବି ନଥିଲି ବୋଲି ଏସଆଇ ଶୁଭଶ୍ରୀ ପ୍ରକାଶ କରିଛନ୍ତି। ଏଥିସହ ମାତୃ ଦିବସରେ ଚିରଞ୍ଜିବିଙ୍କ ପ୍ରସଂଶା ତାଙ୍କ ପାଇଁ ଆଶୀର୍ବାଦ ବୋଲି ସେ କହିଛନ୍ତି।