ଖବର ପ୍ରକାଶନ ପରେ ତତ୍ପରତା ଦେଖାଇଲା ପ୍ରଶାସନ, ବାଗବାହାଲି ଗ୍ରାମରେ ପହଞ୍ଚିଲା ପାଣି ଟାଙ୍କି

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ବ୍ଲକ୍‌ ଅନ୍ତର୍ଗତ ତମିଆଁ ପଞ୍ଚାୟତର ବାଗବାହାଲି ଗ୍ରାମରେ ଜଳ ସଙ୍କଟ ଲାଗି ରହିଥିବା ନେଇ ‘ପାନୀୟ ଜଳ ପାଇଁ ୩ କିଲୋମିଟର’ ଶୀର୍ଷକ ଏକ ଖବର ଆଜି ଲୋକପ୍ରିୟ ଖବର କାଗଜ ‘ନିତିଦିନ’ର ଖବର କାଗଜରେ ଗତ ୨୭ ତାରିଖ ଶୁକ୍ରବାର ଦିନ ପ୍ରକାଶିତ ହେବା ପରେ ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ତତ୍ପର ହୋଇପଡିବା ସହ ଆଜି ମଧ୍ୟାହ୍ନରେ ଉକ୍ତ ଗ୍ରାମକୁ ଏକ ପାନୀୟ ଜଳ ଟ୍ୟାଙ୍କର ପଠାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ପାନୀୟ ଜଳ ସଂଗ୍ରହ ପାଇଁ ଗାଁ’ର ମହିଳାମାନେ ଦୀର୍ଘ ୩ କିଲୋମିଟର ଚାଲି ଚାଲି ଯାଇ ଶୁଖିଲା ପଡି ଥିବା ନଦୀରେ ଚହଲା ଖୋଳି ପାଣି ସଂଗ୍ରହ କରିଥାନ୍ତି। ଏହାବ୍ୟତୀତ ପାନୀୟ ଜଳ ସହ ସ୍ନାନ ଶୌଚ ପାଇଁ ଆବଶ୍ୟକୀୟ ପରିମାଣର ଜଳ ଅଭାବରୁ ଗ୍ରାମବାସୀ ବହୁ ରୋଗର ଶୀକାର ହୋଇଥାନ୍ତି। ଗ୍ରାଉଣ୍ଡ ଜିରୋକୁ ଯାଇ ଖବର ସଂଗ୍ରହ କରିବା ସହ ଏହାକୁ ଦୈନିକ ଖବର କାଗଜ ‘ନିତିଦିନ’ରେ ପ୍ରକାଶନ କରିବା ପରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଇଥିବାରୁ ଗ୍ରାମବାସୀ ନିତିଦିନକୁ କୃତଜ୍ଞତା ଜଣାଇଛନ୍ତି।

ଏହାବ୍ୟତୀତ ଏଭଳି ଏକ ସ୍ପର୍ଶକାତର ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ଉପ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଏବଂ ବିଡିଓ ନୀଳମାଧବ ସୁନା ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ସେମାନଙ୍କୁ ମଧ୍ୟ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।