ମୁନିଗୁଡ଼ାକୁ ଏନଏସି ଘୋଷଣା ପରେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲାର ବ୍ୟବସାୟୀ ନଗରୀ ମୁନିଗୁଡ଼ାକୁ ଏନଏସି ମାନ୍ୟତା ଲାଗି ଦୀର୍ଘ ୧୧ ବର୍ଷ ଧରି ସଂଗ୍ରାମ ଚାଲିଥିଲା । ଏଥିପାଇଁ ମୁନିଗୁଡ଼ାର ସମସ୍ତ ରାଜନୈତିକ ଦଳ, ସାମାଜିକ ସାଂସ୍କୃତିକ ଅନୁଷ୍ଠାନ, ନାଗରିକ ମଞ୍ଚ, ବିକାଶ ପରିଷଦ, ପ୍ରେସ କ୍ଲବ ଏବଂ ବିଭିନ୍ନ ସାହିବସ୍ତିର ମୁରବିମାନେ ଧାରଣା, ରାସ୍ତାରୋକ ଓ ଅନଶନ କରି ଆନ୍ଦୋଳନ ଚଳାଇଥିଲେ । ୨୦୧୪ ମସିହାରେ ମୁନିଗୁଡ଼ାର ଏକ ପ୍ରତିନିଧୀ ମଣ୍ଡଳୀ ସ୍ଥାନୀୟ ବିଧାୟକଙ୍କ ସହ ଭୁବନେଶ୍ୱର ଯାଇ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଦାବି ଜଣାଇଥିଲେ । ହେଲେ ବହୁ ପ୍ରତୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମୁନିଗୁଡ଼ା ସହ ରାଜ୍ୟର ୨୦ ଜିଲ୍ଲାରେ ନୂତନ ଭାବେ ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ମୁନିଗୁଡ଼ା ପ୍ରେସ କ୍ଲବ, ବିକାଶ ପରିଷଦ, ବଣିକ ସଂଘ, ବଜରଙ୍ଗ ଦଳ, ନାଗରିକ ମଞ୍ଚ, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଭାଗୀୟ ମନ୍ତ୍ରୀ ଓ ସଚିବ ବିଶେଷ କରି ୫ଟି ସଚିବ ଭି କେ ପାଣ୍ଡିୟାନ, ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୋର୍ଡ ଉପଦେଷ୍ଟା ସୁଧୀର କୁମାର ଦାସଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି ।
ସେହିପରି ମୁନିଗୁଡ଼ାରେ ଏହି ଦୀର୍ଘ ଆନ୍ଦୋଳନକୁ ଆଜିପର୍ଯ୍ୟନ୍ତ ଚଳାଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଆସିଥିବା ମୁନିଗୁଡ଼ା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ, କୃଷକ ଓ ବ୍ୟବସାୟୀ ବିଭିନ୍ନ ଦଳର ରାଜନେତା ଏବଂ ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଯାଇଛି । ମୁନିଗୁଡ଼ାକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ହେବାରେ ସମସ୍ତ ନୈତିକ ସହାୟତା କରିଥିବା ବିଜେଡି ବ୍ଲକ୍ ସଭାପତି ରତନ ଲାଲ ଜୈନ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼, ରାଜ୍ୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡ୍ରୁକା, ଯୁବନେତା ଧୀରେନ୍ଦ୍ର ପାଣିଗ୍ରାହୀଙ୍କ ସହ ଅନ୍ୟ ସମସ୍ତ ନେତୃମଣ୍ଡଳୀଙ୍କୁ ମୁନିଗୁଡ଼ାବାସୀଙ୍କ ତରଫରୁ ଧନ୍ୟବାଦ୍ ଜଣାଇଯାଇଛି । ଖବର ମୁନିଗୁଡ଼ାରେ ପ୍ରସାରିତ ହେବା ପରେ ବିଜେଡି ବ୍ଲକ୍ ସଭାପତି ରତନ ଲାଲ ଜୈନଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଆତସବାଜି କରିବା ସହ ପରସ୍ପରକୁ ମିଠା ଖୁଆଇ ଖୁସି ଜାହିର କରିଥିଲେ ।