ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ପ୍ରତିଶ୍ରୁତି ପରେ ବନ୍ଧବାହାଲସ୍ଥିତ ଲଖନପୁର ଖଣି କ୍ଷେତ୍ର ଜିଏମ ଅଫିସ ସମ୍ମୁଖରେ ଖଏରକୁନୀ ଗ୍ରାମର କ୍ରିଷ୍ଣା ନାୟକ ଅନଶନରୁ ଓହରିଛନ୍ତି। ଆଜି ଅନଶନର ଚତୁର୍ଥ ଦିନରେ ବିଧାୟକ ଶ୍ରୀ ମହାନ୍ତି ଅନଶନସ୍ଥଳୀକୁ ପହଂଚି କୃଷ୍ଣାଙ୍କ ସହ ଆଲୋଚନା କରିଥିଲେ। କ୍ରିଷ୍ଣାଙ୍କ ଅଭିଯୋଗ ଶୁଣିବା ପରେ ଶ୍ରୀ ମହାନ୍ତି ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଦଶହରା ପରେ ଝାରସୁଗୁଡ଼ା ଗସ୍ତରେ ଆସିବାକୁ ଥିବା ରାଜ୍ୟ ପୁନର୍ବାସ ଏବଂ ଥଇଥାନ କମିଟି ନିକଟରେ କ୍ରିଷ୍ଣାଙ୍କ ସମସ୍ୟାକୁ ସ୍ୱତନ୍ତ୍ର ଭାବରେ ଉପସ୍ଥାପନ କରାଯିବ ଏବଂ କମିଟିର ନିର୍ଦ୍ଦେଶକ୍ରମେ ଏମିସିଏଲ କ୍ରିଷ୍ଣାଙ୍କୁ ନିଯୁକ୍ତି ଏବଂ କ୍ଷତିପୂରଣ ପ୍ରଦାନ କରିବ ବୋଲି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି। ଏଥିସହିତ କୃଷ୍ଣାଙ୍କ ମାନସିକ ଦିବ୍ୟାଙ୍ଗ ଝିଅର ଝାରସୁଗୁଡ଼ାସ୍ଥିତ ମିଶନ ଆଶ୍ରାରେ ଚିକିତ୍ସାର ବ୍ୟବସ୍ଥା କରାଇଛନ୍ତି।
ପ୍ରକାଶଯୋଗ୍ୟ, କୋଇଲା ଖନନ ପାଇଁ ଏମସିଏଲ ପକ୍ଷରୁ ଲଖନପୁର ଖଣି କ୍ଷେତ୍ରର ସମ୍ପ୍ରସାରଣ କରାଯାଇ ୨୦୦୬ କଟ ଅଫ ଡେଟ ଅନୁସାରେ ଖଏରକୁନି ଗ୍ରାମକୁ ଅଧିଗ୍ରହଣ କରାଯାଇଥିଲା। ଫଳରେ କ୍ରିଷ୍ଣା ନିଜର ଘରଦ୍ୱାର ଏବଂ ସମସ୍ତ ଜମିବାଡ଼ି ଏମସିଏଲକୁ ହସ୍ତାନ୍ତର କରିଥିଲେ। ସେହି ସମୟରେ କ୍ରିଷ୍ଣାଙ୍କୁ ୩୦ ବର୍ଷ ବୟସ ହୋଇଥିବାବେଳେ ସେ ଅବିବାହିତ ଥିଲେ। ଫଳରେ ଏମସିଏଲ ପକ୍ଷରୁ ନିଯୁକ୍ତି ଏବଂ ଆରଏଣ୍ଡଆର ପଲିସି ଅନୁଯାୟୀ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ମଧ୍ୟ ଯୋଗ୍ୟ ଥିଲେ। ହେଲେ ଏମସିଏଲର ଜମି ଅଧିଗ୍ରହଣକୁ ଦୀର୍ଘ ବର୍ଷ ବିତି ସାରିଥିଲେ ସୁଦ୍ଧା କ୍ରିଷ୍ଣାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ। ତେଣୁ ତୁରନ୍ତ ତାଙ୍କୁ ନିଯୁକ୍ତି ଏବଂ ଆରଏଣ୍ଡଆର ପଲିସି ଅନୁଯାୟୀ ଅନ୍ୟାନ୍ୟ ସୁବିଧା ଯୋଗାଇବା ଦାବିରେ ସେ ବନ୍ଧବାହାଲସ୍ଥିତ ଲଖନପୁର ଖଣି କ୍ଷେତ୍ର ଜିଏମ ଅଫିସ ସମ୍ମୁଖରେ ଅନଶନ ଆରମ୍ଭ କରିଥିଲେ।