ନିମ୍ନମାନର ପାଇପ କାମକୁ ନେଇ କନିଷ୍ଠ ଯନ୍ତ୍ରୀଙ୍କ ସ୍ୱୀକାର ପରେ ବି ଅଣଦେଖା

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଟିଟିଲାଗଡ଼ ରାସ୍ତାରେ ନିୟମକୁ ଅଣଦେଖା କରି ବେଆଇନ ଭାବେ ଚାଲିଥିବା ପାଇପ ପୋତା କାମ ନେଇ ଖବର ପ୍ରକାଶ ପାଇଥିଲା । ଏହାପରେ ଟିଟିଲାଗଡ଼ ପିଡବ୍ଲ୍ୟୁଡି ବିଭାଗ ଓ କେସିଙ୍ଗା ପିଏଚଡ଼ି ବିଭାଗକୁ ଚେତା ପଶବାରୁ ଉଭୟ ବିଭାଗ ମଧ୍ୟରେ ଯୁଗ୍ମ ସ୍ୱାକ୍ଷର ପରେ କାର୍ଯ୍ୟ ଆରମ୍ଭ ପାଇଁ ସ୍ଥିର ହୋଇଥିଲା । ଅଭିଯୋଗ ପାଇ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରା ଓ ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଜାନକୀ ନାୟକଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଠିକା ସଂସ୍ଥାର ଲୋକ ଉପସ୍ଥିତ ରହି କାମ ଯାଞ୍ଚ କରିଥିଲେ । ତେବେ ସେଠାରେ କୌଣସି ନିୟମର ପାଳନ ହୋଇନଥିବା ଏବଂ ପାଇପ ଲାଇନ ୧ ମିଟର ବଦଳରେ ୧ ଫୁଟରେ ପୋତାଯାଇଥିବା ଦେଖିବାକୁ ପାଇଥିଲେ ଯାହାକି ଆଗାମୀ ଦିନରେ ଭାଙ୍ଗିଯିବାର ସମ୍ଭାବନା ରହିଛି ବୋଲି କନିଷ୍ଠ ଯନ୍ତ୍ରୀ ମଧ୍ୟ ସ୍ୱୀକାର କରିଥିଲେ । ଉକ୍ତ ପାଇପ ଲାଇନକୁ ବାହାର କରି ପୁଣି ପୋତିବା ପାଇଁ ଏନଏସି ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରିଣୀଙ୍କୁ କହିଥିଲେ ଏବଂ ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଠିକା ସଂସ୍ଥା ଖୋଲିକି ବାହାର କଲା ପରେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏନଏସି ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷଙ୍କୁ ବେଖାତିର କରି ଠିକା ସଂସ୍ଥା ନିଜ ମୁତାବକ କାମ ଆରମ୍ଭ କରିଛି ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ କନିଷ୍ଠ ଯନ୍ତ୍ରୀ ଜାନକୀ ନାୟକଙ୍କୁ ପଚାରିବାରୁ ଠିକା ସଂସ୍ଥା ସେହି କାମ କରିବ କିନ୍ତୁ ନିର୍ବାହୀ ଯନ୍ତ୍ରୀ ସାର ଆଗକୁ କାମ ଜାରି ରଖିବାକୁ କହିବାରୁ କାମ ଚାଲୁ ରହିଛି ବୋଲି କହିଥିଲେ । ସେଥିପାଇଁ ଗୋଟିଏ ବେଆଇନ ଓ ନିମ୍ନମାନର କାମକୁ କିଭଳି ଉପରିସ୍ଥ ଅଧିକାରୀ ଘଣ୍ଟ ଘୋଡ଼ାଉଛନ୍ତି ସେନେଇ ପ୍ରଶ୍ନ ଉଠୁଛି ।