ସ୍ୱାମୀଙ୍କ ମୃତ୍ୟୁ ପରେ ହୋଟେଲ କରି ଉଦାହରଣ ସାଜିଛନ୍ତି ଗୌରୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ମହିଳାଙ୍କୁ ଅନେକ ସମୟରେ ଅବଳା ଦୁର୍ବଳା କୁହାଯାଉଥିବାବେଳେ ସାମ୍ପ୍ରତିକ ସମୟରେ ସେମାନେ ଯେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ତାହା ପ୍ରମାଣ କରି ଦେଖାଇଛନ୍ତି । ଏମିତି ଜଣେ ମହିଳା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ମହକୁମାର ଗୌରୀ ଭୁଏ (୩୫) । ସେ ନିଜ ଉଦ୍ୟମରେ ବସଷ୍ଟାଣ୍ଡ ନିକଟରେ ଏକ ହୋଟେଲ କରି ସ୍ୱାବଲମ୍ବୀ ହୋଇଛନ୍ତି । ଘର ଭଳି ରୋଷେଇ ହେଉଛି ତାଙ୍କ ହୋଟେଲର ସ୍ୱତନ୍ତ୍ରତା । ଉକ୍ତ ମିଲ ୬୦ ଟଙ୍କାରେ  ମିଳିଥାଏ ।

ଗୌରୀଙ୍କ ସଂଘର୍ଷର କାହାଣୀ ମଧ୍ୟ କିଛି କମ୍ ନୁହେଁ । ସେ ୧୨ ବର୍ଷ ତଳେ ନୂଆପଡ଼ାରେ ବାହା ହୋଇଥିବାବେଳେ ୩ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର କୌଣସି ସନ୍ତାନ ନଥିବାରୁ ସ୍ୱାୀଙ୍କ ମୃତ୍ୟୁ ପରେ ବାପ ଘରକୁ ଚାଲି ଆସିଥିଲେ । ହେଲେ ନୂଆପଡ଼ାରେ ସ୍ୱାମୀଙ୍କର ହୋଟେଲ ଥିବାରୁ ସେଠାରେ ସହଯୋଗ କରି ରୋଷେଇ ସମ୍ପର୍କରେ ଅବଗତ ଥିବାରୁ ବାପ ଘରେ ଅନ୍ୟ ଉପରେ ବୋଝ ହେବାକୁ ଚାହିଁ ନଥିଲେ । ସେଥିପାଇଁ ୩ ହଜାର ଟଙ୍କାରେ ଏକ ଭଡ଼ା ଘର ନେଇ ୨ବର୍ଷ ତଳେ ହୋଟେଲ ଆରମ୍ଭ କରିଥିଲେ । ତାଙ୍କ ସୁନ୍ଦର ରୋଷେଇ ଓ ବ୍ୟବହାର ଗ୍ରାହକଙ୍କୁ ଆକୃଷ୍ଟ କରୁଥିବାବେଳେ ମାନସିକ ଚାପ ଭିତରେ ନିଜକୁ ସ୍ୱାବଲମ୍ବୀ କରାଇ ଅନ୍ୟ ମହିଳାଙ୍କ ପାଇଁ ଗୌରୀ ଉଦାହରଣ ସାଜିଛନ୍ତି । ଏନେଇ ତାଙ୍କୁ ପଚାରିବାରୁ ମୁଁ କାହା ଉପରେ ବୋଝ ନ ହୋଇ ନିଜେ ହୋଟେଲ କରି ଖୁସିରେ ଅଛି ବୋଲି କହିଛନ୍ତି ।