ନୂଆଦିଲ୍ଲୀ: କମେଡିୟାନ ବୀର ଦାସଙ୍କ ଏକ ଭିଡିଓକୁ ନେଇ ଅନେକ ବିବାଦ ଉପୁଜିଛି । ଆମେରିକାରେ ତାଙ୍କ ପରର୍ଫମାନ୍ସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହାପରେ ବୀର ଦାସଙ୍କ ନାଁରେ ଦିଲ୍ଲୀର ତିଲକମାର୍ଗ ଥାନାରେ ଅଭିଯୋଗ ମଧ୍ୟ ଦାୟର ହୋଇଛି ।
ଭାଇରାଲ ହୋଇଥିବା ଭିଡିଓରେ ବୀର ଦାସ କହିଛନ୍ତି ଯେ, ମୁଁ ୨ଟି ଭାରତରୁ ଆସିଛି, ଯେଉଁଠି ଭାରତୀୟ ପୁରୁଷମାନେ ଦିନରେ ମହିଳାଙ୍କୁ ପୂଜା କରିଥାନ୍ତି ଓ ରାତିରେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥାନ୍ତି । ଏହାପରେ ବୀର ଦାସଙ୍କୁ ଟ୍ୱିଟରରେ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଓ ବିଜେପିର ଅନେକ ନେତା ମଧ୍ୟ ବୀର ଦାସଙ୍କୁ ଟାର୍ଗେଟ କରିଛନ୍ତି ।
ଲୋକଙ୍କ ଆକ୍ରୋଶ ଦେଖିବା ପରେ ବୀର ଦାସ ସଫେଇ ଦେବାକୁ ଯାଇ କହିଛନ୍ତି ଯେ, ଦେଶକୁ ଅପମାନିତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବରଂ ଭିଡିଓରେ ସେ ଲୋକଙ୍କ ଚିନ୍ତାଧାରାକୁ ଦର୍ଶାଇଛନ୍ତି । ଏହା ଏମିତି କୌଣସି ରହସ୍ୟ ନୁହେଁ କି ଯାହାକୁ ଲୋକେ ଜାଣିନାହାନ୍ତି । ଲୋକେ ଭାରତକୁ ଏକ ଆଶା ରୂପେ ଦେଖିଥାନ୍ତି ଘୃଣା ଭଳି ନୁହେଁ । ଲୋକେ ଭାରତ ପାଇଁ ତାଳି ବଜାଇଥାନ୍ତି ଏବଂ ସମ୍ମାନ ଦେଇଥାନ୍ତି । ମୁଁ ଆମ ଦେଶକୁ ନେଇ ଗର୍ବ ଅନୁଭବ କରିଥାଏ ।