କୋରାପୁଟ,ଏନ୍ଏନ୍ଏସ୍: ନାରାୟଣପାଟଣା ଚାଷି ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ଦୀର୍ଘ ୬ବର୍ଷ ଜେଲରେ ରହିବା ପରେ ଆଜି ଜାମିନରେ ମୁକୁଳିଛନ୍ତି। ନାଚିକା କୋରାପୁଟ ମଣ୍ଡଳ କାରାଗାରରୁ ଜାମିନରେ ବାହାରିଥିବାବେଳେ ବରିଷ୍ଠ ସମାଜସେବୀ ପ୍ରଫୁଲ ସାମନ୍ତରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଜୁରା ମହୁକା, ପତ୍ନୀ ଟିକାଇ ଲିଙ୍ଗା ଓ ପୁଅ ରବି ଲିଙ୍ଗାଙ୍କ ସମେତ ଶତାଧିକ ସମର୍ଥକ କୋରାପୁଟ ଜେଲ୍ ସମ୍ମୁଖରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ନାଚିକା ଆଗାମୀ ଦିନରେ ଆଦିବାସୀଙ୍କ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବା ସହ ମଦମୁକ୍ତି ଅଭିଯାନ ଓ ଗତିପ୍ରଥା ଉଚ୍ଛେଦ ନିମନ୍ତେ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସିଏମଏଏସ୍ ନେତା ନାଚିକା ଲିଙ୍ଗା ନାରାୟଣପାଟଣା ଅଞ୍ଚଳରେ ୨୦୦୮ ମସିହାରୁ ଗତିପ୍ରଥା, ମଦ ବ୍ୟବସାୟ ଓ ପୁଲିସର କାର୍ଯ୍ୟକୁ ବିରୋଧ କରି ବିଭିନ୍ନ ସମୟରେ ଆନ୍ଦୋଳନ କରିଥିବାବେଳେ ତାଙ୍କ ବିରୁଦ୍ଧରେ ହତ୍ୟା, ଲୁଣ୍ଠନ, ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ନାରାୟଣପାଟଣା ଥାନା ପୋଡ଼ିି ଭଳି ୪୫ଟି ମାମଲା ରୁଜୁ କରିଥିଲା। ପୁଲିସ ୨୦୧୪ ଅକ୍ଟୋବରରେ ନାଚିକାଙ୍କୁ ଗିରଫ କରିଥିଲା । ୪୫ଟିରୁ ୪୪ଟି ମାମଲାରେ ନାଚିକା ନିର୍ଦ୍ଦୋଷରେ ଖଲାସ୍ ହୋଇଥିବାବେଳେ ନାରାୟଣପାଟଣା ଥାନା ଆକ୍ରମଣ ମାମଲାର ବିଚାର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେବେ ସାକ୍ଷୀଙ୍କ ଅନୁପସ୍ଥିତି ଯୋଗୁ ବିଚାର ପ୍ରକ୍ରିୟାରେ ଅତ୍ୟନ୍ତ ବିଳମ୍ବ ହେଉଥିବା ଦର୍ଶାଇ ନାଚିକାଙ୍କ ଓକିଲ ଜାମିନ ପାଇଁ ସୁପ୍ରିମ୍ କୋର୍ଟ ଯାଇଥିଲେ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଅତିରିକ୍ତ ସେସନ୍ କୋର୍ଟ ଆଜି ୨ଜଣ ଜାମୀନଦାର ଓ ୫୦ ହଜାର ଟଙ୍କାର ମୁଚାଲିକାରେ ନାଚିକାଙ୍କୁ ବେଲ୍ ପ୍ରଦାନ କରିଥିବା ସରକାରୀ ଓକିଲ ବିଦ୍ୟାଧର ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ନାଚିକା ଶୁଣାଣୀ ଶେଷ ହେବା ଯାଏଁ କୌଣସି ଅପରାଧମୂଳକ କାର୍ଯ୍ୟ କରିବେ ନାହିଁ, କୋରାପୁଟ ଜିଲ୍ଲା ଛାଡ଼ି ବାହାରକୁ ଯାଇ ପାରିବେନି ଓ ନାରାୟଣପାଟଣା ଥାନା ଆକ୍ରମଣର ବିଚାର ଶେଷ ଯାଏ ପ୍ରତି ତାରିଖରେ କୋର୍ଟରେ ହାଜର ହେବାକୁ ୩ଟି ସର୍ତ୍ତ ରଖି ଜାମିନ୍ ପ୍ରଦାନ କରିଥିବା ଜଣାପଡ଼ିଛି।