ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଥାନା ଅନ୍ତର୍ଗତ ଝିଲମିଲା ଓ ରତିପାଳି ରାସ୍ତାକଡ଼ରୁ ଯୁବକର ମୃତଦେହ ଉଦ୍ଧାର ଘଟଣା ୬ ମାସ ପରେ ନୂଆପଡ଼ା ପୁଲିସ ପର୍ଦାଫାସ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ରତିପାଲି ଗ୍ରାମର ବିସାଦ ନାୟକ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନୂଆପଡ଼ା ପୁଲିସ ସୂଚନା ଦେଇଛି। ସୂଚନା ମୁତାବିକ, ଧରମବନ୍ଧା ଥାନା ଅନ୍ତର୍ଗତ ଟିପାଝର ଗାଁର ସ୍ୱର୍ଗତ ଜଗବନ୍ଧୁ ଶବରଙ୍କ ପୁଅ ଦବଙ୍ଗ ଶବର (୩୮) ଗତବର୍ଷ ସେପ୍ଟେମ୍ବର ୨୪ ତାରିଖ ରାତିରେ ଝିଲମିଲା ଗ୍ରାମର ବିସାଦ ନାୟକ ଓ ମୃତ ଦବଙ୍ଗ ଶବର ମଦ ପିଉଥିଲେ। ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ବିସାଦ ନାୟକ ରାଗିଯାଇ ଦବଙ୍ଗଙ୍କୁ ଟାଙ୍ଗିଆରେ ହାଣିବା ସହ ଠେଙ୍ଗାରେ ମାରିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତ ବିସାଦ ଫେରାର ହୋଇଯାଇଥିଲେ। ସକାଳେ ଝିଲମିଲା ଓ ରତିପାଳି ରାସ୍ତା କଡ଼ରେ ଏକ ଶବ ପଡ଼ିଥିବା ଦେଖି ଲୋକମାନେ ନୂଆପଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳକୁ ସନ୍ଧାନୀ କୁକୁର ନେଇ ତଦନ୍ତ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତର ଟେର ପାଇ ନଥିଲା। ଘଟଣାର ୬ ମାସ ପରେ ଗତକାଲି ନୂଆପଡ଼ା ପୁଲିସ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ବିସାଦ ନାୟକଙ୍କୁ ଗିରଫ କରି ଅଧିକ ପଚରାଉଚୁରା ପରେ ଆଜି କୋର୍ଟ ଚାଲଣ କରିଥିବା ନୂଆପଡ଼ା ଏସଆଇ ବିନୟ କେରକେଟା ସୂଚନା ଦେଇଛନ୍ତି।