ପୁରୀ,ଏନ୍ଏନ୍ଏସ୍: ଦେଶରେ କରୋନା କଟକଣା ଲାଗୁ ହେବା ପରଠାରୁ ଶ୍ରୀମନ୍ଦିର ସହିତ ପରୁୀକୁ ଭକ୍ତଙ୍କୁ ବାରଣ କରାଯାଇଥିଲା। ଧିରେ ଧିରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରୁ ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମଧ୍ୟରେ ଦୀର୍ଘ ୯ମାସ ଧରି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଅନାଇ ବସିଛନ୍ତି।
ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ ଭକ୍ତ। ଏନେଇ ଭକ୍ତ ନିବାସ ନିର୍ମାଣ ହେଉଛି। ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ ଏଥିରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ। ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି। ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ।
ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଆଗମନ କରନ୍ତି। ମନ୍ଦିର ଖୋଲିଲେ ପୁଣି ଭକ୍ତଙ୍କ ସଂଖ୍ୟା ବଢିବ। ତେବେ ଭକ୍ତମାନେ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।