କିଶୋର ନ୍ୟାୟ ବ୍ୟବସ୍ଥା ଓ ଶିଶୁ ମିତ୍ର ପୁଲିସ ସମ୍ପର୍କିତ ଜିଲ୍ଲା ସମ୍ମିଳନୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବିବାହକତ୍ୱ ଓ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗଙ୍କ ସଭାପତିତ୍ୱରେ ‘କିଶୋର ନ୍ୟାୟ ବ୍ୟବସ୍ଥା ଓ ଶିଶୁ ମିତ୍ର ପୁଲିସ’ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ଶିଶୁଙ୍କ ଯତ୍ନ, ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥାକୁ ସୃଦୃଢ଼ ଓ ଶିଶୁ ମିତ୍ର ବିଧେୟକ କରିବା ପାଇଁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ ଯୋଗଦେଇ ‘ଶିଶୁ ମିତ୍ର ଥାନା ଓ ପୁଲିସର ଭୂମିକା’ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କିଶୋର ନ୍ୟାୟ ଅଧିନିୟମ-୨୦୧୫ରେ ବିହିତ ଥିବା ଶିଶୁଙ୍କ ପାଇଁ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଡିଭିଜନାଲ ଲେବର କମିଶନର ପ୍ରସନ୍ନ ସିଂ, ଡିଏସପି ପ୍ରଦୀପ କେରକେଟା, ଡିଏସପି ଅମୃତା ମହାନ୍ତି ଓ ଦେବଗଡ଼ ଓକିଲ ସଂଘର ସଭାପତି ସଚ୍ଚିକାନ୍ତ ଦାସ ପ୍ରମୁଖ ମଞ୍ଚାସିନ ରହିଥିଲେ । ପୁଲିସକୁ ଶିଶୁ ମିତ୍ର ବିଧେୟକ କରିବା ତଥା ଶିଶୁଙ୍କ ନିକଟତର ହେବା ପାଇଁ ଅରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ପୋଷ୍ଟର ଉନ୍ମୋଚନ କରି ଏକ ଅଭିନବ ଅଭିଯାନ ‘ୱି ଫୋର ଚିଲଡ୍ରେନ’ର ଘୋଷଣା କରିଥିଲେ । ଏହି ଅଭିଯାନ ଅନ୍ତର୍ଗତ ଏଣିକି ପ୍ରତ୍ୟେକ ମାସର ଶେଷ ଶନିବାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନିକଟସ୍ଥ ପୁଲିସ ଥାନାକୁ ପରିଭ୍ରମଣରେ ଯିବେ ଓ ପୁଲିସ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ ହେବେ । ଏହାଦ୍ୱାରା ପୁଲିସ ଓ ଶିଶୁଙ୍କ ମଧ୍ୟରେ ମିତ୍ରତା ଗଢ଼ି ଉଠିବ ଓ ଶିଶୁମାନେ ନିର୍ଭୀକ ହୋଇ ନିଜ ଅଭିଯୋଗ ପୁଲିସକୁ ଜଣାଇପାରିବେ ବୋଲି ଅରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ସମସ୍ତ ଥାନାର ଥାନାଧିକାରୀ ଓ ସିଡିପିଓଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ଜିଲ୍ଲା ସମ୍ମିଳନୀକୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ, ୟୁନିସେଫର ଜିଲ୍ଲା ପରାମର୍ଶଦାତା ପୀତବାସ ବେହେରା, ଶ୍ରୀଦତ୍ତ ସାହୁ ଓ ଉପେନ୍ଦ୍ର ଭଞ୍ଜ ପରିଚାଳନା କରିଥିଲେ ।