ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ବ୍ଲକ୍ ବୈରାଗୀହାଲୁଆ ପଞ୍ଚାୟତର ଗୁରୁରାଜୁଗୁଡା ଗ୍ରାମରେ ବାଲ୍ୟ ବିବାହକୁ ରୋକିଛି ପ୍ରଶାସନ। ୧୫ ବର୍ଷ ନାବାଳିକାକୁ ପ୍ରଶାସନ ଉଦ୍ଧାର କରି ନିଜ ଘରେ ଛାଡ଼ିବା ସହ ସୋମବାର ସିଡବ୍ଲ୍ୟୁସି ନିକଟରେ ହାଜର କରିବାକୁ ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ୱାର୍ଡମେମ୍ବର, ଚାଇଲଡ୍ ଲାଇନ୍ ସଦସ୍ୟକୁ ନିର୍ଦ୍ଦେଶ ହୋଇଛି।
ସୂଚନା ଅନୁସାରେ ହାଟଶେଶଖାଲ ପଞ୍ଚାୟତ ଲୁମ୍ବେସୁ ଗ୍ରାମର ୧୫ ବର୍ଷୀୟ ନାବାଳିକା ଗୁରୁରାଜୁଗୁଡା ଗ୍ରାମର ୨୦ ବର୍ଷୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ତଳେ ନାବାଳିକା ନିଜ ଘର ଛାଡ଼ି ଯୁବକଙ୍କ ଘରକୁ ପଳାଇଥିଲେ। ପରିବାର ଓ ଗ୍ରାମବାସୀଙ୍କ ବୁଝାଶୁଝା ପରେ ମଧ୍ୟ ନାବାଳିକା ଜଣଙ୍କ ଘରକୁ ଫେରିନଥିଲେ। ଫଳରେ ଗ୍ରାମବାସୀଙ୍କ ଅଭିଯୋଗ ପାଇ ରାୟଗଡ଼ା ସିଡିପିଓ ମୀନାକ୍ଷୀ ଦାଶ, ଚାଇଲ୍ଡ ଲାଇନର ବିଜୟକେତନ ସାହୁ, ସୁଶୀଲ କୁମାର ପଲେଇ, କାଉନସିଲର ପି. ପୂର୍ଣ୍ଣମାସୀ ଆଜି ଗୁରୁରାଜୁଗୁଡା ଗ୍ରାମରେ ପହଞ୍ଚିଥିଲେ। ଯୁବକ ଏବଂ ନାବାଳିକାଙ୍କୁ ଡକାଇ ବୁଝାଶୁଝା କରିବା ପରେ ପରିବାର ଲୋକଙ୍କ ପରାମର୍ଶକ୍ରମେ ନାବାଳିକାଙ୍କୁ ନିଜ ଘରେ ଛଡ଼ା ଯାଇଛି। ଏଥିସହ ନାବାଳିକାକୁ ୧୮ ବର୍ଷ ହେବାପରେ ଉକ୍ତ ଯୁବକ ସହ ବିବାହ କରାଇବାକୁ ଉଭୟ ପକ୍ଷ ରାଜି ହୋଇଥିବା ଜଣାପଡ଼ିଛି।