ପାଟଣାଗଡ଼,ଏନ୍ଏନ୍ଏସ୍: ସହର ଉପକଣ୍ଠରେ ଥିବା ରାମପାଲିରେ ଆରଆର କଲୋନୀ ନିର୍ମାଣ କରିବା ପାଇଁ ସେଠାରେ ଥିବା ଜବରଦଖଲକାରୀଙ୍କୁ ଗତ ୩ ଦିନ ତଳେ ପ୍ରଶାସନ ବିସ୍ଥାପିତ କରିଛି । ଜବରଦଖଲ କରି ରହୁଥିବା ୧୭ଟି ପରିବାରକୁ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉକ୍ତ ସ୍ଥାନ ଖାଲି କରିବା ପାଇଁ ପୂବର୍ରୁ ନୋଟିସ ଦିଆଯାଇଥିଲେ ମଧ୍ୟ ସେମାନେ ନ ଛାଡ଼ିବାରୁ ପ୍ରଶାସନ ବାଧ୍ୟ ହୋଇ ଜେସିବି ଲଗାଇ ଘରଗୁଡ଼ିକୁ ଭାଙ୍ଗିଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତ, ଥାନାଧିକାରୀ ଅନନ୍ତ ପ୍ରଧାନ ଓ ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଉପସ୍ଥିତିରେ ଘର ଭଙ୍ଗା ଯାଇଥିଲା । ସେଠାରେ ପ୍ରାୟ ୨୦୧୮ ମସିହାରୁ ଘର କରି ରହୁଥିବା ନନ୍ଦିକିଶୋର ମଲ୍ଲିକ, ଭକ୍ତ କିଶୋର ମଲ୍ଲିକ, ନୀଳକଣ୍ଠ ବାଗ, ସବିତା ଦାସ, ବାବୁଲାଲ ଦଳେଇ, ରୀତା ସାହୁ, ହିମାଦ୍ରୀ ରଣା, ବୃନ୍ଦାବତି ଭୋଇ ଓ ବେଲମତୀ ବାଗ ପ୍ରମୁଖ ସମ୍ପୂର୍ଣ୍ଣ ବାସହୀନ ହୋଇଛନ୍ତି । ଡିସମ୍ବର ମାସର ହାଡ଼ଭଙ୍ଗା ଶୀତ ବେଳେ ଉକ୍ତ ପରିବାରମାନଙ୍କୁ ବିସ୍ଥାପନ କରିବା ପୂର୍ବରୁ ସେମାନଙ୍କ ସାମୟିକ ଅବସ୍ଥାନ ପାଇଁ ପ୍ରଶାସନ ଦୃଷ୍ଟି ନଦେବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି । ସମ୍ପୃକ୍ତ ବିସ୍ଥାପିତ ପିଲାଛୁଆଙ୍କୁ ଧରି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି । ଏପରିକି ଉକ୍ତ ପରିବାରମାନଙ୍କୁ ପଲିଥିନ ଖଣ୍ଡିଏ ଲେଖାଏଁ ଦେବାକୁ ପ୍ରଶାସନ ଉଚିତ ମଣି ନଥିଲା । କିଛି ସଚେତନ ନାଗରିକଙ୍କ ହସ୍ତେକ୍ଷପ ପରେ ଶେଷରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି ।
ସୂଚନଯୋଗ୍ୟ, ଖାଲି କରାଯାଇଥିବା ଉପରୋକ୍ତ ସ୍ଥାନରେ ଆରଆର ଯୋଜନାନୁସାରେ ହୀରସାଗର ପଡ଼ା-୧, ହୀରାସାଗର ପଡ଼ା-୨, ବଡ଼ପଡ଼ା, ଜଡ଼ବନ୍ଧ ପଡ଼ା ଓ ଟିକପାଲି ଇତ୍ୟାଦି ଅଞ୍ଚଳରେ ରହୁଥିବା ପ୍ରାୟ ୨୬୫ ପରିବାରକୁ ଥଇଥାନ କରାଯିବା କାର୍ଯ୍ୟକ୍ରମ ରହିଛି ।