ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ଗ୍ରାମରେ ଦୀର୍ଘଦିନ ହେବ ବସୁଧା ଯୋଜନାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ସେବା ବନ୍ଦ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଗ୍ରାମପଞ୍ଚାୟତରେ ଅବଗତ କରିବାରୁ ପଞ୍ଚାୟତରେ ଟଙ୍କା ନଥିବା କହିଛନ୍ତି । ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବକେୟା ବିଦ୍ୟୁତ ବିଲ ପଞ୍ଚାୟତ ତରଫରୁ ପୈଠ କରାଯାଇ ନାହିଁ ସେଥିପାଇଁ ବିଦ୍ୟୁତ ସଂଯୋଗ କରିବା ସମ୍ଭବପର ନୁହେଁ । ଉକ୍ତ ସମସ୍ୟା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ୫୦ରୁ ଅଧିକ ମହିଳାମାନେ ଖାଲି ମାଠିଆ ଧରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଫାଟକରେ ଅଡ଼ି ବସିଥିଲେ । ଖବର ପାଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀପ୍ତିରାଣୀ ମୁନି ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନଥିଲା । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଘଟଣାସ୍ଥଳରେ ପହଞ୍ଚି ଦାବୀପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ଏବଂ ପରବର୍ତ୍ତୀ ସମୟରେ ଟିୱେଲ ଗୁଡ଼ିକ ମରାମତି କରି ବସୁଧା ଯୋଜନାରେ ବିଦ୍ୟୁତ ବିଲର ବକେୟା ସମସ୍ୟାର ସମାଧାନ କରି ଯଥାଶୀଘ୍ର ଜଳ ଯୋଗାଣରେ ସୁଧାର ଆଣିବା ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।