ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସ ମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି ।
ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟଙ୍କ ଭୂମିକା ଅପରିହାର୍ଯ୍ୟ । ସାଧାରଣତଃ ଆର୍ôଥକ ଅନଗ୍ରସର ପରିବାରରୁ ଆସୁଥିବା ଏହି ଡେଲିଭରୀ ବୟଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏପରି ଡେଲିଭରୀ ବୟଙ୍କ ଜୀବନ ଉପରେ ଆଧାରିତ । ଓଡ଼ିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡ଼କ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷ କରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣ ଭାବରେ ପ୍ରଦର୍ଶିତ ହୋଇଛି । ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବାର ଆଶା ରହିଛି ।
ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟ ସରକାର ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରେ ମଧ୍ୟ ପ୍ରମୋଦ କର ଛାଡ଼ କରିଥିଲେ । ଓଡ଼ିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟିକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବାସହ ପ୍ରତିଭାବାନ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।