ମାଥିଲି ପୁଲିସ ଦ୍ୱାରା ବହୁ ମାତ୍ରାରେ ଗଞ୍ଜେଇ ଜବତ: ୪ ଜଣ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ପୁଲିସ ଗତକାଲି ରାତିିରେ ପେଟ୍ରୋଲିଂ କରୁଥିବା ସମୟରେ ବହୁ ମାତ୍ରାର ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଟ୍ରକ ଜବତ କରବା ସହ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହରିଆନାର ଗୁରଗାଓଁ ଜିଲ୍ଲା ଅନ୍ତର୍ଗତ ସୋନା ଅଞ୍ଚଳର ଇସାବ(୪୫) ଓ ବିରୁ ସିଂ(୨୬), ମଧ୍ୟପ୍ରଦେଶର ରେୱଶ ଜିଲ୍ଲା ଅନ୍ତର୍ଗତ ଡଗୁୱାନା ଗ୍ରାମର ରାକେଶ ତିୱାରୀ(୨୨) ଓ ମାଲକାନଗିରି ଜିଲ୍ଲାର ଏମଭି-୫୨ ଗ୍ରାମର ତାପସ ସରଦାର(୨୮)।

ମିଳିଥିବା ରିପୋର୍ଟ ମୁତାବକ, ଥାନା ଏସଆଇ ନରେନ୍ଦ୍ର ପ୍ରସାଦ ଭତ୍ରାଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଗୋବିନ୍ଦପାଲ୍ଲୀ ଛକ ନିକଟରେ ରାତ୍ରି ପେଟ୍ରୋଲିଂ ସହ କାଗଜପତ୍ର ଯାଞ୍ଚ କରୁଥିବା ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ବାଲିମେଳା ପଟୁ ଆସୁଥିବା ଦେଖିଥିଲେ। ଏଥିସହିତ ଟ୍ରକକୁ ପଛ ପଟରୁ ଏକ ମୋଟର ସାଇକେଲ ସହଯୋଗ କରୁଥିବା ମଧ୍ୟ ଦେଖିଥିଲେ। ପରେ ଟ୍ରକକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୩୮ଟି ପଲିଥିନ ବ୍ୟାଗରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ସେଥିରୁ ୧୨୧୭ କିଲୋ ୭ଶହ ଗ୍ରାମ ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ବ୍ୟତୀତ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ ଫୋନ, ୨ ହଜାର ଟଙ୍କା ଓ ଏକ ମୋଟର ସାଇକେଲ ଜବତ ହୋଇଛି। ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନା ପ୍ରକାଶ କରିଛନ୍ତି।