୨୦୨୨ରେ ୟୁପିରେ ବିଧାନସଭା ନିର୍ବାଚନ ଲଢ଼ିବ ଆପ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆମ ଆଦମି ପାର୍ଟି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବ। ୨୦୨୨ ବିଧାନସଭା ନିର୍ବାଚନରେ ଆପ୍ ନିର୍ବାଚନ ଲଢ଼ିବ ବୋଲି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ତେବେ ୨୦୨୨ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ କେଜ୍ରିୱାଲ ଟକ୍କର ଦେବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯେଉଁ ସୁବିଧା ଦିଲ୍ଲୀବାସୀଙ୍କୁ ମିଳିଛି ସେସବୁ ଉତ୍ତରପ୍ରଦେଶବାସୀଙ୍କୁ ମଧ୍ୟ ମିଳିବ। ଖରାପ ରାଜନୀତି ଓ ଭ୍ରଷ୍ଟ ନେତା ଯୋଗୁ ଉତ୍ତରପ୍ରଦେଶ ବିକାଶରୁ ଦୂରେଇ ରହିଛି। ଉତ୍ତରପ୍ରଦେଶରେ ସବୁ ରାଜନୈତିକ ପାର୍ଟି ସରକାର ଗଢ଼ିଛନ୍ତି କିନ୍ତୁ ସେମାନେ ନିଜ ଘର ଚଳାଇବା ବ୍ୟତୀତ ଉତ୍ତରପ୍ରଦେଶବାସୀଙ୍କ ପାଇଁ କିଛି କରିନାହାନ୍ତି।

କେଜ୍ରିୱାଲଙ୍କ ଏହି ଘୋଷଣାକୁ ନେଇ ବିଜେପି ସମାଲୋଚନା କରିଛି। ବିଜେପି କହିଛି ଯେ, ଯିଏ ଦିଲ୍ଲୀ ସମ୍ଭାଳି ପାରିଲେନି ସିଏ ଉତ୍ତରପ୍ରଦେଶ କ’ଣ ସମ୍ଭାଳିବେ?