ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସରକାରୀ ହସ୍ପିଟାଲ ଏମ୍ସର ନର୍ସ ୟୁନିୟନ ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି। ନର୍ସ ୟୁନିୟନର କହିବାନୁସାରେ, ତାଙ୍କର ଅନେକ ଦାବି ରହିଛି ଯାହାକୁ ସରକାର ଓ ଏମ୍ସ ପ୍ରଶାସନ ମାନୁ ନାହାନ୍ତି। ସେଥିପାଇଁ ଧାରଣା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ଅନ୍ୟପଟେ ନର୍ସଙ୍କ ଧାରଣା ଏମ୍ସ ରୋଗୀଙ୍କୁ ଚିନ୍ତାରେ ପକାଇଛି।
ଏମ୍ସ ନର୍ସିଂ ୟୁନିୟନର ପ୍ରେସିଡେଣ୍ଟ ହରୀଶ କୁମାର କାଜଲା କହିଛନ୍ତି ଯେ, ସେମାନେ ଏମିତି ଧାରଣା ଦେବାକୁ ଚାହୁଁନଥିଲେ କିନ୍ତୁ ମାସେ ବିତି ଯାଇଥିଲେ ମଧ୍ୟ ସରକାର ଓ ଏମ୍ସ ପ୍ରଶାସନ ତାଙ୍କ ଦାବି ସମ୍ପର୍କରେ ବିଚାର କରିନଥିଲେ। ସେଥିପାଇଁ ୧୬ ଡିସେମ୍ବରରୁ ହେବାକୁ ଥିବା ଧାରଣାକୁ ସେମାନେ ୧୪ରୁ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ଯେପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ହୋଇନାହିଁ ଅନଶନ ଜାରି ରହିବ ବୋଲି କାଜଲା କହିଛନ୍ତି।
ସୂଚନାଯୋଗ୍ୟ, ଏମ୍ସ ପ୍ରଶାସନ କଥା ହେବାକୁ ପ୍ରସ୍ତୁତ ନଥିବା ନର୍ସିଂ ୟୁନିୟନ କହୁଥିବାବେଳେ ହାଇକୋର୍ଟର ଆଦେଶ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।