ଆଜିଠୁ ପଂଜାବରେ ନୂଆ ଶାସନ; ଭଗୱନ୍ତ ମାନ୍‌ଙ୍କୁ ଶପଥ ଦେବାକୁ ପହଞ୍ଚିଲେ ରାଜ୍ୟପାଳ

ଚଣ୍ଡୀଗଡ଼,ଏଜେନ୍ସି: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍‌)ର ନବ ନିର୍ବାଚିତ ବିଧାୟକ ଭଗୱନ୍ତ ମାନ୍ ମାର୍ଚ୍ଚ ୧୬ ଅର୍ଥାତ ଆଜି ଅପରାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ଶପଥ ଗ୍ରହଣ ପାଇଁ ହୋଶିୟାରପୁର ଜିଲ୍ଲାରେ ଶହୀଦ-ଏ-ଆଜମ ଭଗତ ସିଂହଙ୍କ ପୈତୃକ ଗାଁ ଖଟକଡକଳାକୁ ଚୟନ କରିଛନ୍ତି।

ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଶାମିଲ ହେବା ପାଇଁ ଆମ ଆଦମୀ ପାର୍ଟି କୌଣସି ରାଜ୍ୟର ଭିଆଇପିଙ୍କୁ ଆମନ୍ତ୍ରଣ କରିନାହିଁ। ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଶପଥ ଦେବାକୁ ଖଟକଡକଳା ପହଞ୍ଚିଛନ୍ତି। ଭଗୱନ୍ତ ମାନ୍ ଶହୀଦ-ଏ-ଆଜମ ଭଗତ ସିଂହଙ୍କ ବହୁତ ବଡ଼ ପ୍ରଶଂସକ। ସେଥି ପାଇଁ ସେ ସମାନ ପ୍ରକାର ପୋଷାକ ପିନ୍ଧନ୍ତି। ସେ ଭଗତ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଶ୍ଲୋଗାନ ‘ଇନ୍‌କ୍ଲବ ଜିନ୍ଦାବାଦ୍‌’ରୁ ନିଜର ରାଲିକୁ ଆରମ୍ଭ ଓ ଶେଷ କରିଥାନ୍ତି।

ଭଗୱନ୍ତ ମାନ୍‌ଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଡ୍ରେସ କୋର୍ଡ ଘୋଷଣା କରାଯାଇଛି। ପୁରୁଷମାନେ ହଳଦିଆ ରଂଗର ପଗଡ଼ି ଓ ମହିଳାମାନେ ହଳଦିଆ ରଂଗର ପୋଷାକ ପିନ୍ଧିବେ। କେବଳ ସେତିକି ନୁହେଁ। କାର୍ଯ୍ୟକ୍ରମ ସ୍ଥଳୀକୁ ହଳଦିଆ ରଂଗରେ ସଜାଯାଇଛି। ସମାରୋହର ୧ ଲକ୍ଷରୁ ଅଧିକ ଲୋକ ଏକତ୍ର ହୋଇପାରନ୍ତି।

ସୂଚନାଯୋଗ୍ୟ, ପଂଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଥିଲା। ମୋଟ ୧୧୭ ଆସନରୁ ୯୨ଟି ଆମ ଆଦମୀ ପାର୍ଟିର ବିଧାୟକ ଜିତିଥିଲେ। କଂଗ୍ରେସକୁ ୧୮, ବିଜେପିକୁ ୨ ଓ ଅକାଳୀ ଦଳକୁ ୪ଟି ଆସନ ମିଳିଥିବା ବେଳେ ଅନ୍ୟକୁ ଗୋଟିଏ ଆସନରେ ବିଜୟ ମିଳିଥିଲା। ପଂଜାବରେ ଗତ ଫେବ୍ରୁଆରୀ ୨୦ ତାରିଖରେ ଭୋଟ ହୋଇଥିଲା। ଏହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଘୋଷଣା ହୋଇଥିଲା। ଭଗୱନ୍ତ ମାନ୍ ୫୮ ହଜାର ଭୋଟରେ ଧୁରୀ ଆସନରୁ ବିଜୟୀ ହୋଇଥିଲେ।