ମହିଳା ବିଶ୍ୱକପ୍‌: ଭାରତକୁ ୧୩୪ ରନ୍‌ରେ ଅଟକାଇଲା ଇଂଲଣ୍ଡ, ଚାର୍ଲୋଟି ଡିନ୍‌ଙ୍କୁ ସର୍ବାଧିକ ୪ ୱିକେଟ୍

ମାଉଣ୍ଟ ମାଉନଙ୍ଗନୁଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ବିଶ୍ୱକପ୍‌ରେ ଭାରତକୁ ଇଂଲଣ୍ଡ ୧୩୪ ରନ୍‌ରେ ଅଟକାଇଛି। ମାଉଣ୍ଟ ମାଉନଙ୍ଗନୁଇର ବେ ଓଭାଲ ଷ୍ଟାଡିୟମରେ ଜାରି ଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତୀୟ ଟିମ୍ ବ୍ୟାଟିଂ କରିଥିଲା। ଏହି ମ୍ୟାଚ ଜିତିବା ପାଇଁ ଇଂଲଣ୍ଡକୁ ୧୩୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଓପରନ ସ୍ମୃତି ମନ୍ଧାନା ଓ ୟସ୍ତିକା ଭାଟିଆ ଟିମ୍ ଇଣ୍ଡିଆର ଇନିଂସ ଆରମ୍ଭ କରିଥିଲେ। ଭାରତକୁ ମାତ୍ର ୧୮ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଭାଟିଆ ୮ ରନ୍ କରି ବୋଲ୍ଡ ହୋଇଥିଲେ। ଭାରତ ପକ୍ଷରୁ ସ୍ମୃତି ସର୍ବାଧିକ ୩୫ ରନ୍ କରିଥିଲେ। ରିଚା ଘୋଷ ୩୩ ରନ୍‌, ଝୁଲନ ଗୋସ୍ୱାମୀ ୨୦ ରନ୍‌, ହରମନପ୍ରୀତ କୌର ୧୪ ରନ୍ ଯୋଡ଼ିଥିଲେ। ଦୀପ୍ତି ଶର୍ମା ଓ ସ୍ନେହ ରାଣା ଖାତା ଖୋଲି ନଥିଲେ। ଦଳର ଅନ୍ୟ ଖେଳାଳିମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

ଇଂଲଣ୍ଡ ଟିମର ଦମଦାର ପ୍ରଦର୍ଶନ ପାଇଁ ଭାରତ ୩୬.୨ ଓଭରରେ ସମସ୍ତ ୧୦ ୱିକେଟ ହରାଇଛି । ଚାର୍ଲୋଟି ଡିନ ୮.୨ ଓଭର ବୋଲିଂ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନିୟା ଶ୍ରୁବସୋଲଙ୍କୁ ୨ଟି ୱିକେଟ ମିଳିଥିବା ବେଳେ ସୋଫି ଏସେଲଷ୍ଟୋନ୍ ଓ କେଟ୍ କ୍ରସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।