ଫାଇନ ଆଦାୟ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ଯୁବକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ସମୟରେ ରାସନ ସାମଗ୍ରୀ କିଣିବାକୁ ଆସିଥିବା ଲୋକଙ୍କଠାରୁ କରାଯାଉଥିବା ଫାଇନ ଆଦାୟକୁ ବିରୋଧ କରି ଲଖନପୁର ବ୍ଲକ କୁଡ଼ାଲୋଇ ଗ୍ରାମର ଯୁବକ ରେଶବ ପ୍ରଧାନ(୨୩) ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଟୁଇଟ କରିଛନ୍ତି। ଟ୍ୱିଟରେ ସେ ଉଲ୍ଳେଖ କରିଛନ୍ତି ଯେ, ତାଙ୍କର ଏକ ରାସନ ସାମଗ୍ରୀ ଦୋକାନ ରହିଥିବାରୁ ସାମଗ୍ରୀ କିଣିବା ପାଇଁ ସେ ନିଜ ସ୍କୁଟିରେ କୁଡ଼ାଲୋଇରୁ ଗୁମାଡ଼େରାକୁ ଆସିଥିଲେ। ହେଲେ ଗୁମାଡ଼େରା ଗୁରୁଦ୍ୱାର ନିକଟରେ ବେଲପାହାଡ଼ ପୁଲିସ ତାଙ୍କୁ ଅଟକ ରଖିବା ସହ ୫ଶହ ଟଙ୍କା ଫାଇନ ଆଦାୟ କରିଥିଲା। ସେ ରାସନ ସାମଗ୍ରୀ କିଣିବାକୁ ଆସିଛନ୍ତି, ସମାଗ୍ରୀ ନେଲେ କୁଡ଼ାଲୋଇ ତଥା ଆଖପାଖ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ ତେଣୁ ତାଙ୍କଠାରୁ ଫାଇନ ଆଦାୟ ନହେଉ ବୋଲି ରେଶବ ଅନୁରୋଧ କରିଥିଲେ। ହେଲେ ମଧ୍ୟ ପୁଲିସ ତାଙ୍କଠାରୁ ଫାଇନ ଆଦାୟ କରିଥିଲା ବୋଲି ରେଶବ ଅଭିଯୋଗ କରିଛନ୍ତି। ଯଦି ସରକାର ଖାଉଟି ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ତେବେ ଦୋକାନ ପାଇଁ ସାମଗ୍ରୀ ଆଣିବାକୁ ଗଲେ ପୁଲିସ କାହିଁକି ଫାଇନ ଆଦାୟ କରୁଛି। ଯଦି ଦୋକାନୀ ସାମଗ୍ରୀ ଆଣିବାକୁ ନଯାଏ ତେବେ ବିକ୍ରି କ’ଣ କରିବ ଏବଂ ଦୋକାନ ଉପରେ ନିର୍ଭର କରୁଥିବା ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କେମିତି ପାଇବେ ବୋଲି ରେଶବ ଟୁଇଟରେ ପ୍ରଶ୍ନ କରିଛନ୍ତି। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଉଥିବା ଦୋକାନୀଙ୍କଠାରୁ ଫାଇନ ଆଦାୟ କରାନଯାଉ ଏବଂ ତାଙ୍କଠାରୁ ଫାଇନ ଆଦାୟ କରିଥିବା ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରେଶବ ଦାବି କରିଛନ୍ତି। ରେଶବଙ୍କ ଏହି ଟୁଇଟର ପ୍ରତିଉତ୍ତରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଫାଇନ ଆଦାୟ ହୋଇଥିବା ରିସିପ୍ଟ, କେଉଁ ଅଫିସର ଫାଇନ ଆଦାୟ କରିଛନ୍ତି ଏବଂ କେଉଁଠାରେ ଆଦାୟ କରିଛନ୍ତି ସେନେଇ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି।