ଘର ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠପଟା ଜବତ କଲା ପୁଲିସ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ କରଞ୍ଜିଆପଡ଼ା ଗ୍ରାମରୁ ବିପୁଳ ପରିମାଣର ଚୋରା କାଠ ପାଟଣା ପୁଲିସ ଜବତ କରିଛି। ମିଳିଥିବା ରିପୋର୍ଟ ମୁତାବିକ, କରଞ୍ଜିଆପଡ଼ା ଗ୍ରାମର ଦମୟନ୍ତି ଦାସଙ୍କ ଘରେ କାଠ ମାଫିଆମାନେ ଚୋରା କାଠକୁ ଚିରି ପଟା କରି ଗଚ୍ଛିତ ରଖିଥିବା ଖବର କୌଣସି ସୂତ୍ରରୁ ପାଟଣା ଥାନା ଏସଆଇ ରଣଜିତ ପଟ୍ଟନାୟକ ଖବର ପାଇ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଘର ଭିତରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରିଥିଲେ। ଜବତ କାଠକୁ ପାଟଣା ପୁଲିସ ବନ ବିଭାଗକୁ ହସ୍ତାନ୍ତର କରିଛି। ପାଟଣା ରେଞ୍ଜ କାର୍ୟ୍ୟାଳୟରୁ ଏହା ପାଖାପାଖି ୧୦ କିମି ଦୂରରେ ହୋଇଥିବାରୁ ଏତେ ମାତ୍ରାରେ କାଠ ଗଚ୍ଛିତ ଥିବା ଖବର କିପରି ବନ ବିଭାଗ ଜାଣି ପାରୁନଥିଲା ନା ମାଫିଆଙ୍କ ମଧ୍ୟରେ ବନ ବିଭାଗର ସଲାସୁତୁରାରେ କାଠ ଗଛିତ ରଖାଯାଇଥିଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।