ତାମିଲନାଡ଼ୁର ତିରୁପୁରରୁ ରାୟଗଡା ପହଞ୍ଚିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ, ଆସିଲେ ୧୭୩ ପ୍ରବାସୀ ଜିଲ୍ଲା By Nitidin On Jun 1, 2020 Share ରାୟଗଡା,ଏନ୍ଏନ୍ଏସ୍: କରୋନା ମହାମାରୀ ମହାବିପତି ଯୋଗୁଁ ସାରା ଦେଶରେ ତାଲା ବନ୍ଦି ରହିଥିବା ବେଳେ ଆଜିଠାରୁ ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ତାମିଲନାଡୁର ତିରୁପୁରରୁ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ରାୟଗଡ଼ାରେ ପହଞ୍ଚିଛି। ଏଥିରେ ୧୭୩ଜଣ ପ୍ରବାସୀ ଫେରିଥିବା ଜଣାପଡ଼ିଛି। ଏହି ଟ୍ରେନଟି ରାୟଗଡା ଆସିବା ନେଇ ଜିଲା ପ୍ରଶାସନକୁ ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିକୋଣରୁ ରାୟଗଡା ସହର ଗଜପତି ଛକଠାରୁ ସାଇ ଇଣ୍ଟରନ୍ୟାସନାଲ ଛକ ଯାଏଁ ଓ ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ ହୋଇଥିଲା। ପ୍ରବାସୀଙ୍କୁ ସ୍ୱାଗତ କରିବାକୁ ଯାଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକଏମ, ଅତିରିକ୍ତ ଜିଲ୍ଲାପାଳ ଶରଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଷ୍ଟେସନ ପରିସରରେ ଉପସ୍ଥିତ ଥିଲେ। ତାମିଲନାଡୁ ତିରିପୁରଠାରୁ ଏହି ପ୍ରବାସୀ ସ୍ୱତନ୍ତ୍ର ଟ୍ରେନଟି ଦକ୍ଷିଣ ଓଡିଶାର ୬ଟିି ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ପ୍ରବାସୀଙ୍କୁ ନେଇ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିଥିଲା। ଫେରିଥିବା ସମସ୍ତ ଯାତ୍ରୀଙ୍କର ପୃଥକ ଥର୍ମାଲ ସ୍କ୍ରିନିଂ, ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ପ୍ରତ୍ୟେକଙ୍କ ପଞ୍ଜିକରଣ କରାଯାଇଛି। ପରେ ସମସ୍ତଙ୍କ ହାତରେ ଅଲିଭା କାଳୀ ଲଗାଯାଇ ସମସ୍ତଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଥିଲା। ଏହାପରେ ସମ୍ପୃକ୍ତ ଜିଲ୍ଲାରୁ ଆସିଥିବା ନୋଡାଲ ଅଧିକାରୀଙ୍କ ନିକଟରେ ପ୍ରବାସୀ ନିଜ ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ବସ ଓ ଚାରି ଚକିଆ ଗାଡି ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯାଇଥିଲା। ଉକ୍ତ ପ୍ରବାସୀ ସ୍ୱତନ୍ତ୍ର ଟ୍ରେନରେ ନବରଙ୍ଗପୁର ଜିଲ୍ଲାର ୨୧, କନ୍ଧମାଳ ଜିଲ୍ଲାର ୭୬, ଗଜପତି ଜିଲ୍ଲାର ୩୫, କୋରାପୁଟ ଜିଲ୍ଲାର ୪, ରାୟଗଡା ଜିଲ୍ଲାର ୩୨, ମାଲକାନଗିରି ଜିଲ୍ଲାର ୫ ସମେତ ୧୭୩ ଜଣ ଶ୍ରମିକ ରାୟଗଡାରେ ପହଞ୍ଚିଛନ୍ତି। Share