କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ମୃତ

ଦେବଗଡ଼,ଏନ୍ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ ଖାରୁମୁଣ୍ଡା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମର ସନ୍ତୋଷ ପାତ୍ର ବୋଲି ଚିହ୍ନଟ ହୋଇଛି। ସେ ଝାରସୁଗୁଡାରୁ ଚକାଡୋଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଖାରୁମୁଣ୍ଡା ପେଟ୍ରୋଲ ଟାଙ୍କି ନିକଟରେ ବସ୍‌ ଅଟକିଥିବା ବେଳେ ବସରୁ ଓଲ୍ହାଇ ବାହାରକୁ ଯାଇଥିଲେ।

ସେ ବସ ନିକଟକୁ ଫେରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ ମୃତ ଦେହକୁ ଜବତ କରିଛି। ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ମଧ୍ୟ ଜବତ କରିଥିବା ଜଣାପଡିଛି।