୧୦ ମାସର ଛୁଆକୁ ବିକିଲା ମା’

  • କେନ୍ଦ୍ରାପଡ଼ା, ଏନ୍ଏନ୍ଏସ୍: ଜିଲ୍ଲାର ରାଜକନିକା ବ୍ଲକ ମହୁରି ଗାଁର ଜଣେ ସ୍ୱାମୀ ପରିତ୍ୟକ୍ତା ଗରିବ ମହିଳା ଭୋକ ବିକଳରେ ନିଜ ୧୦ମାସର ଛୁଆକୁୁ ମାତ୍ର କେତେଟା ଟଙ୍କାରେ ବିକ୍ରି କରିବା ପରି ଅଭାବନୀୟ ଘଟଣା ଘଟିଛି। ଏ ସମ୍ପର୍କରେ ଚାଇଲ୍ଡ ଲାଇନକୁ ଖବର ମିଳିବାପରେ ସ୍ଥାନୀୟ ସରପଞ୍ଚ, ସିଡିପିଓ ଏବଂ ଚାଇଲ୍ଡ ଲାଇନ କର୍ମଚାରୀଙ୍କ ସହାୟତାରେ ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କାରାଯାଇଥିଲା। ସିଡବ୍ଲ୍ୟୁସି ସଦସ୍ୟା ସ୍ମିତାଞ୍ଜଳି ମାହାପାତ୍ର ଅସୁସ୍ଥ ଶିଶୁକୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ମହିଳାଙ୍କର ପୂର୍ବରୁ ଥିବା ଜଣେ ୭ ବର୍ଷର ଓ ଅନ୍ୟଜଣେ ୩ବର୍ଷର ଶିଶୁକନ୍ୟାକୁ ପଲିଶ୍ରୀ ଶିଶୁଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି।
    ରାଜକନିକା ମହୁରୀ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳା ଅରୁନ୍ଧତି ରାଉଳ (୨୮)ଙ୍କର ପୂର୍ବରୁ ଦୁଇଟି ଝିଅ ସଙ୍ଗୀତା (୭) ଓ ସସ୍ମିତା (୩) ଥିବାବେଳେ ଗତ ୧୦ମାସ ତଳେ ଆଉ ଏକ ଶିଶୁକନ୍ୟା ରଶ୍ମିତାକୁ ଜନ୍ମ ଦେଇଥିଲେ। ଅତ୍ୟନ୍ତ ଗରିବ ହୋଇଥିବାରୁ ୧୦ ମାସର ଛୁଆକୁ ଏକ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଥିବା ସେ ପ୍ରକାଶ କରିଛନ୍ତି। ଏହି ଘଟଣାର ସତ୍ୟତା ଜଣାପଡ଼ିବା ପରେ ରାଜକନିକା ଚାଇଲ୍ଡଲାଇନ କୋର୍ଡିନେଟର ରାକେଶ କୁମାର ବାରିକ, ସଦସ୍ୟ ଅମ୍ରେଶ ପାଣି, ସୁପରଭାଇଜର ବାସନ୍ତି ପାଢ଼ୀ, ସରପଞ୍ଚ ମମତା ମଞ୍ଜରୀ ମଲ୍ଲିକ ଓ ସିଡିପିଓଙ୍କ ସହାୟତାରେ ସମ୍ପୃକ୍ତ୧୦ ମାସର ଶିଶୁକନ୍ୟା ରଶ୍ମିତା ଓ ତାର ଦୁଇଭଉଣୀ ସଂଗୀତା, ସସ୍ମିତାଙ୍କୁ ମା’ ଅରୁନ୍ଧତି ସହିତ ଜିଲ୍ଲା ଶିଶୁମଙ୍ଗଳ ସମିତିର ସଦସ୍ୟା ଶ୍ରୀମତୀ ମହାପାତ୍ରଙ୍କ ନିକଟରେ ହାଜିର କରିଥିଲେ।