ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା ‘ଶାଶା’ ମୃତ । ଆଫ୍ରିକାର ନାମିବ୍ୟାରୁ ଭାରତ ଆସିଥିବା ମୋଟ ୮ଟି ଚିତା ମଧ୍ୟରୁ ସୋମବାର ପ୍ରଥମ ଚିତାର ମୃତ୍ୟୁ ଘଟିଛି । ତେବେ ଭାରତ ଆସିବା ପୂର୍ବରୁ ଶାଶା କିଡନୀ ସଂକ୍ରମିତ ଥିବା ଜଣାପଡ଼ିଛି । କିଡନୀ ଅକାମି ହେବା ପରେ ସୋମବାର ସକାଳେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।କୁ
ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରୁ ସେ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ବନ ବିଭାଗ ପକ୍ଷରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା । ଭୋପାଳର ଏକ ସ୍ବତନ୍ତ୍ର ଭେଟେରିନାରୀ ବିଶେଷଜ୍ଞମାନେ ଶାଶାକୁ ଚିକିତ୍ସା କରୁଥିଲେ । ହେଲେ ଶେଷରେ ଆଜି ଆଖି ବୁଜିଛି ଶାଶା । ସୂଚନା ଥାଉ କି ଗତବର୍ଷ ସେପ୍ଟେମ୍ବର ୧୭ ତାରିଖ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚିତାମାନଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ଛାଡ଼ିଥିଲେ । ଏହି ୮ଟି ଚିତା ମଧ୍ୟରେ ୩ଟି ମାଈ ଚିତା ରହିଥିଲେ । ନାମିବ୍ୟାରୁ ଚିତାଙ୍କୁ ଆଣିବା ପରେ ଲଗାତର ଭାବେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଥିଲା ।