ନୂଆଦିଲ୍ଲୀ,ଏଜେନ୍ସି: ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ଆସିଲା ନୋଟିସ । ତୁଘଲକ ଲେନ୍ର ବଙ୍ଗଳା ନଂ ୧୨କୁ ଆସନ୍ତା ଏପ୍ରିଲ ୨୨ ତାରିଖ ସୁଦ୍ଧା ଖାଲି କରିବାକୁ କୁହାଯାଇଛି । ଲୋକସଭା ହାଉସିଂ କମିଟି ପକ୍ଷରୁ ରାହୁଲଙ୍କୁ ଏହି ନୋଟିସ ଜାରି କରଯାଇଛି । ରାହୁଲ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ୨୪ ତାରିଖରେ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରି କରି ତାଙ୍କର ସଦସ୍ୟତା ରଦ୍ଦ କରିଥିଲେ । ସରକାରୀ ବଙ୍ଗଳା ଖାଲି କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭା ସେକ୍ରେଟେରିଏଟ ପକ୍ଷରୁ ନୋଟିସ । ୨୩ ମାର୍ଚ୍ଚରେ ସରକାରୀ ବଙ୍ଗଳା ବାତିଲ କରାଯାଇଥିବା ସୂଚନା ।
ଏହାର ଗୋଟିଏ ଦିନ ପୂର୍ବରୁ (ମାର୍ଚ୍ଚ ୨୩) ତାରିଖରେ ସୁରଟ ସେସନ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଜଣେ ସାଂସଦ ନିଜର ସଦସ୍ୟତା ପଦ ହରାଇବାର ଗୋଟିଏ ମାସ ମଧ୍ୟରେ ନିଜ ସରକାରୀ ବାସଭବନ ଖାଲି କରିବା ନିୟମ ରହିଛି । ଏଣୁ ରାହୁଲ ନିଜ ସଦସ୍ୟତା ପଦ ହରାଇବା ପରେ ତାଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ସେପଟେ ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଘର ଛାଡ଼ିବା ସମୟ ସୀମାକୁ ବୃଦ୍ଧି କରିବା ଲାଗି ରାହୁଲ ହାଉସିଂ କମିଟିକୁ ଚିଠି ଲେଖି ଜଣାଇପାରନ୍ତି ।