ଏର୍ଣ୍ଣାକୁଲମ୍,ଏଜେନ୍ସି: ଶନିବାର ବିଳମ୍ବିତ ରାତ୍ରରେ କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ କିଝାକ୍କମ୍ବଲମ୍ ଅଞ୍ଚଳରେ ସଂଘର୍ଷରେ ମାତିଥିବା ଦୁଇ ଦଳ ପ୍ରବାସୀ ଶ୍ରମିକଙ୍କୁ ଅଟକାଇବାକୁ ଯାଇ ଅନ୍ୟୂନ ୫ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘କିଟେକ୍ସ୍’ କମ୍ପାନିରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକ ଦଳମାନେ ସେ ଅଞ୍ଚଳରେ ବଡ଼ଦିନ କାରୋଲ୍ ଆୟୋଜନ କଥାରେ ପରସ୍ପର ସହ ସଂଘର୍ଷ କରିଥିଲେ। ମଦ୍ୟପାନ କରିବା ପରେ ଉଭୟ ଦଳ ପରସ୍ପରକୁ ଗାଳିମନ୍ଦ କରିଥିଲେ।
ପରିସ୍ଥିତି ନିୟନ୍ତ୍ରର କରିବାକୁ ସେଠାରେ ପ୍ରଥମେ ପହଞ୍ଚିଥିବା ପୁଲିସ ଫୋର୍ସକୁ ସଂଘର୍ଷରତ ପ୍ରବାସୀ ଶ୍ରମିକମାନେ ଆକ୍ରମଣ କରିଥିଲେ। ଏଥିରେ କୁନ୍ନାତୁନାଡୁ ଏସ୍.ଏଚ୍.ଓ.ଙ୍କ ସମେତ ୫ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।
କେବଳ ଏତିକି ନୁହେଁ, ସେମାନେ ଗୋଟିଏ ପୁଲିସ ଜିପ୍କୁ ପୋଡ଼ି ପକାଇବା ସହ ଆଉ ୩ଟି ଜିପ୍କୁ ନଷ୍ଟ କରି ଦେଇଛନ୍ତି। ପୁଲିସମାନଙ୍କ ୱାଇଆର୍ଲେସ୍ ସେଟ୍ ମଧ୍ୟ ନଷ୍ଟ ହୋଇଯାଇଛି। ପାଟିତୁଣ୍ଡ ଶୁଣି ସେଠାକୁ ଧାଇଁ ଆସିଥିବା ସ୍ଥାନୀୟ ଲୋକଙ୍କ ଉପରକୁ ମଧ୍ୟ ସେମାନେ ଟେକାପଥର ଫିଙ୍ଗିଥିଲେ।
ଜଣେ ସ୍ଥାନୀୟ ଲରି ଚାଳକ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଦଳ ପହଞ୍ଚିଥିଲେ।
ଆହତ ପୁଲିସ ଅଧିକାରୀମାନେ ସମ୍ପ୍ରତି କୋଲେନଚେରି ମେଡିକାଲ୍ କଲେଜ୍ରେ ଚିକିତ୍ସାଧୀନ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ସେ ଅଞ୍ଚଳରେ ମୁଖ୍ୟତଃ ନାଗାଲାଣ୍ଡ୍ ଏବଂ ମଣିପୁରରୁ ଆସିଥିବା ୩୦୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମଜୀବୀ ବାସ କରୁଛନ୍ତି। ଆଜି ପ୍ରାୟ ୧୫୦ଜଣ ପ୍ରବାସୀ ଶ୍ରମଜୀବୀଙ୍କୁ ହାଜତକୁ ନିଆଯାଇ ଜେରା କରାଯାଉଛି। ଘଟଣାସ୍ଥଳରୁ ପ୍ରାୟ ୧୦୦ଜଣ ଶ୍ରମଜୀବୀଙ୍କୁ ଗିରଫ କରାଯାଇଥିଲା।