ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରୋନ୍ ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦେଶର ୧୭ଟି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୧୧୪ଜଣ ସୁସ୍ଥ ହୋଇଛନ୍ତି ଓ ୨୪୪ ଜଣଙ୍କର ଚିକିତ୍ସା ଜାରି ରହିଛି। ୧୮୩ରୁ ୮୭ଜଣ ଭ୍ୟାକ୍ସିନର ଉଭୟ ଡୋଜ୍ ନେଇଛନ୍ତି। ଏମାନଙ୍କ ଭିତରୁ ୩ଜଣ ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି। ଅନ୍ୟ ୭ଜଣ ଭ୍ୟାକ୍ସିନର ଗୋଟିଏ ବି ଡୋଜ୍ ନେଇନାହାନ୍ତି। ଏଥିସହିତ ୧୨୧ଜଣ ବିଦେଶ ଯାତ୍ରା କରିଛନ୍ତି। ୪୪ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ମିଳି ନଥିବାବେଳେ ସେମାନେ ଅନ୍ୟ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦୁନିଆରେ କରୋନାର ୪ର୍ଥ ଲହରୀ ଚାଲିଛି। ସେଥିପାଇଁ ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ୟୁରୋପ, ନର୍ଥ ଆମେରିକା ଓ ଆଫ୍ରିକାରେ ମାମଲା ବଢ଼ୁଛି କିନ୍ତୁ ଏସିଆରେ କମୁଛି। ଭାରତରେ ପ୍ରଥମ ଲହର ୨୦୨୦ରେ ଆସିଥିବାବେଳେ ୨୦୨୧ରେ ଦ୍ୱିତୀୟ ଲହର ଆସିଥିଲା।
ସୂଚନାଯୋଗ୍ୟ, ବିଶ୍ୱର ୧୦୮ଟି ଦେଶରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୧ହଜାରରୁ ଉର୍ଦ୍ଧ୍ୱ ଓମିକ୍ରୋନ୍ ମାମଲା ସାମ୍ନାକୁ ଆସିଛି। ୟୁକେ, ଡେନମାର୍କ, କାନାଡା ଓ ଜର୍ମାନୀରେ ସର୍ବାଧିକ ଓମିକ୍ରୋନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।