ୱାଡା ମାନ୍ୟତା ଫେରି ପାଇଲା ଏନ୍‌ଡିଟିଏଲ୍‌

ନୂଆଦିଲ୍ଲୀ,ଏଜେନ୍ସି: ନିଲମ୍ବିତ ଜାତୀୟ ଡୋପ୍ ଟେଷ୍ଟିଂ ଲାବୋରାଟୋରୀ (ଏନ୍‌ଡିଟିଏଲ୍‌)କୁ ବିଶ୍ୱ ଡୋପ୍ ନିରୋଧୀ ଏଜେନ୍ସି (ୱାଡି) ପୁଣିଥରେ ମାନ୍ୟତା ପ୍ରଦାନ କରିଛି। ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ଠାକୁର ଲେଖିଛନ୍ତି, ‘ଏହା ଦ୍ୱାରା କ୍ରୀଡ଼ା ଉତ୍କୃଷ୍ଟତାର ଉଚ୍ଚତମ ବୈଶ୍ୱିକ ସ୍ତର ହାସଲ କରିବା ନିମନ୍ତେ ଭାରତର ଉଦ୍ୟମକୁ ବଳ ମିଳିବ। ଏହା ଭାରତ ସରକାର ଉଦ୍ୟମର ପରିଣାମ।’

ଗ୍ଲୋବାଲ୍ ମାନଦଣ୍ଡ ପାଳନରେ ବିଫଳ ହେବା କାରଣରୁ ଏନ୍‌ଡିଟିଏଲ୍ ୨୦୧୯ରେ ନିଲମ୍ବିତ ହୋଇଥିଲା। ଡୋପିଂ ଉଲ୍ଲଂଘନ ମାମଲାରେ ୱାଡାର ଗ୍ଲୋବାଲ୍ ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି। ରୁଷିଆ ଏହି ତାଲିକା ଶୀର୍ଷରେ ରହିଛି। ନିଲମ୍ବନ କାରଣରୁ ଦିଲ୍ଲୀସ୍ଥିତ ଏନ୍‌ଡିଟିଏଲ୍‌ର ସମସ୍ତ ଡୋପିଂ ନିରୋଧୀ ଗତିବିଧି ଉପରେ ରୋକ୍ ଲଗାଯାଇଥିଲା, ଯେଉଁଥିରେ ମୂତ୍ର ଓ ରକ୍ତ ନମୁନା ବିଶ୍ଳେଷଣ ଅନ୍ତର୍ଭୁକ୍ତ।

ୱାଡା ୨୦୧୯ ଅଗଷ୍ଟରେ ପ୍ରଥମେ ଏନ୍‌ଡିଟିଏଲ୍‌କୁ ୬ ମାସ ପାଇଁ ନିଲମ୍ବିତ କରିଥିଲାଏବଂ ପରେ ଏହି ଅବଧିକୁ ବଢ଼ାଇ ଦେଇଥିଲା। ଏହି ସମୟ ମଧ୍ୟରେ ନାଡା ଦ୍ୱାରା ସଂଗୃହୀତ ମୂତ୍ର ନମୁନା ଯାଞ୍ଚ ପାଇଁ ଦୋହାସ୍ଥିତ ୱାଡାର ମାନ୍ୟତାପ୍ରାପ୍ତ ଲାବୋରାଟୋରୀକୁ ପଠାଇବାକୁ ପଡ଼ୁଥିଲା। ଯାଞ୍ଚ୍ ପାଇଁ ନମୁନା ବିଦେଶ ପଠାଇବା ଫଳରେ ଭାରତରେ ଡୋପିଂ ନିରୋଧୀ କାର୍ଯ୍ୟକ୍ରମ ବହୁ ମହଙ୍ଗା ହୋଇପଡ଼ିଥିଲା।

କରୋନା ମହାମାରୀ କାରଣରୁ ଭାରତରେ ଡୋପିଂ ନିରୋଧୀ କାର୍ଯ୍ୟକ୍ରମ ମାନ୍ଦା ପଡ଼ିଥିଲା। ୱାଡାର ମାନଦଣ୍ଡ ପାଳନରେ ବିଫଳ ହେବା କାରଣରୁ ୱାଡା ଲାବୋରାଟୋରୀ ବିଶେଷଜ୍ଞ ଗ୍ରୁପ୍ ଚଳିତ ବର୍ଷ ଜାନୁଆରୀରେ ଏନ୍‌ଡିଟିଏଲ୍ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ୍ କରିଥିଲା। ଏହାପରେ ନିଲମ୍ବନ ଅବଧିକୁ ଆହୁରି ବୃଦ୍ଧି କରାଯାଇଥିଲା। ନିଲମ୍ବନ କାରଣରୁ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏନ୍‌ଡିଟିଏଲ୍‌ରେ କୌଣସି ଯାଞ୍ଚ୍ ହୋଇପାରି ନଥିଲା।