ରାୟଗଡା,ଏନ୍ଏନ୍ଏସ୍: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଞ୍ଜିକୃତ ସମସ୍ତ ଖବର କାଗଜ ବିତରକଙ୍କ ନିମନ୍ତେ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଆଜି ରାୟଗଡା ଜିଲ୍ଲା ଠାରେ କରୋନା କଟକଣା ପାଳନ ପୂର୍ବକ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ସଂଯୋଗୀକରଣ ସଭା ସୀମିତ ସଂଖ୍ୟକ ଖବର କାଗଜ ବିତରକଙ୍କୁ ନେଇ ଭିସି ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମ ଜିଲ୍ଲପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ତଥା ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ କାର୍ଯ୍ୟରତ ୨୦ ଜଣ ଖବର କାଗଜ ବିତରକ ଯୋଗଦାନ କରିଥିଲେ।
ଆଜି ଶୁଭାରମ୍ଭ କରାଯାଇଥିବା ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ତଥା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜିକରଣ ଦ୍ଵାରା ହକର ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଆଶା ବ୍ୟକ୍ତ କରିବାସହ ଯୋଜନାର ଉଚ୍ଚ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ। ବର୍ତ୍ତମାନର ଏହି ଅସମୟରେ ଆର୍ଥିକ ସହାୟତା ସେମାନଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ମନରେ ଏକ ନୂତନ ଆଶା ସଂଚାର କରିବ। ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୫ ଜଣ ଖବରକାଗଜ ବିତରକ ପଞ୍ଜିକୃତ ହୋଇଛନ୍ତି। ଏହି ସମୟପୋଯୋଗୀ ସହାୟତା ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରି ଦେଇଛି।