ଝାରସୁଗୁଡା,ଏନ୍ଏନ୍ଏସ୍: ସର୍ବୋତ୍ତମ ନିରାପତ୍ତା ଅଭ୍ୟାସ ଏବଂ ଏକ ସୁରକ୍ଷିତ କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ କାର୍ଯ୍ୟଦକ୍ଷତା ବର୍ଷ ୨୦୨୦ ପାଇଁ ପ୍ଲାଟିନମ୍ ବର୍ଗରେ ଝାରସୁଗୁଡା ଜିଲ୍ଲା ବନହରପାଲିସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନ ଓପିଜିସିକୁ କଳିଙ୍ଗ ସୁରକ୍ଷା ଉତ୍କର୍ଷତା ପୁରସ୍କାର ମିଳିଛି। ଭୁବନେଶ୍ୱରରେ ଆୟୋଜିତ ଓଡିଶା ରାଜ୍ୟ ସୁରକ୍ଷା କନକ୍ଲେଭ-୨୦୨୧ର ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଠାରୁ ଓପିଜିସି ପ୍ଲାଣ୍ଟ ମେନେଜର ସୁଧାକର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀ ଶରତ ଚନ୍ଦ୍ର ନାଏକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ହେଉଛି ଓଡିଶା ରାଜ୍ୟ ସୁରକ୍ଷା କନକ୍ଲେଭ ଅବସରରେ ପ୍ରଦାନ କରାଯାଉଥିବା ବାର୍ଷିକ ପୁରସ୍କାର, ଯାହା ଗୁଣାତ୍ମକ ତଥା ପରିବେଶ ପରିଚାଳନା ସେବା ପ୍ରତିଷ୍ଠାନ, ପବ୍ଲିକ ଏଣ୍ଟରପ୍ରାଇଜେସ୍ ଇନଷ୍ଟିଚ୍ୟୁଟ୍, ହାଇଦ୍ରାବାଦ ଏବଂ ଓଡିଶା ରାଜ୍ୟ ଉତ୍ପାଦନ ପରିଷଦ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥାଏ। ପୂର୍ବରୁ ପ୍ରଦର୍ଶନ ବର୍ଷ ୨୦୧୪ ଏବଂ ୨୦୧୮ ପାଇଁ ଓପିଜିସି ଲିମିଟେଡ୍ ଏହି ପୁରସ୍କାର ପାଇସାରିଛି।