ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ। ବିଶ୍ଵର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ପ୍ରକାଶ କରିଛନ୍ତି।

ଆମ ରାଜ୍ୟ ଓଡ଼ିଶାରେ ୨୦୨୦ ମସିହାରେ ମୋଟ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ୨୦୧୯ ମସିହା ତୁଳନାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ପ୍ରାୟ ୧୧% ହ୍ରାସ ପାଇଛି ଓ ଏହାର ମୁଖ୍ୟ କାରଣ ହେଲା କୋଭିଡ୍–୧୯ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍ ଓ ସଡାଉନ୍ ଲାଗୁ ହେବା କାରଣରୁ ମୃତ୍ୟୁହାର ହ୍ରାସ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଆମ ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁବରଣ କରୁଥିବାବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି।

ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ଵର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧି ନଥିବାରୁ ମୃତ୍ୟୁ ବରଣ କରୁଥିବା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସ୍ଵେଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି। ଏମାନଙ୍କୁ ଫାର୍ଷ୍ଟ ରେସ୍‌ପଣ୍ଡର ଟ୍ରେନିଂ ଦିଆଯାଇଛି। ଯାନଚାଳକମାନଙ୍କ ପାଇଁ ରିଫ୍ରେସ୍‌ ଟ୍ରେନିଂ କରାଯାଉଛି। ବ୍ଲାକ୍ ସ୍ପଟ୍‌ଗୁଡ଼ିକୁ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ଦ୍ଵାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ଆଇନ ସଚିବ, ପୁଲିସ ବିଭାଗର ଅତିରିକ୍ତ ଡିଜି, ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।