ଋଷିକୁଲ୍ୟାରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ, ଟ୍ୟାଗିଂ ଜରିଆରେ ରଖାଯାଇଛି ନଜର

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମର ରଷିକୁଲ୍ୟା ମୁହାଣରେ ଚାଲିଛି ଅଲିଭ୍ ରିଡଲେ କଇଁଛଙ୍କ ମିଳନ ପ୍ରକ୍ରିୟା। କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। କଇଁଛଙ୍କ ମିଳନର ଗତିବିଧି ଅନୁଧ୍ୟାନ କରିବା ଲାଗି ଜିଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛଙ୍କ ପିଠିରେ କରାଯାଇଛି ସ୍ବତନ୍ତ୍ର ଟ୍ୟାଗିଂ। ପ୍ରଥମ ଦିନରେ ୨୨ ଗୋଟି ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଂ କରାଯାଇଥିବା ସୂଚନା ଦିଆଯାଇଛି।

ପ୍ରତ୍ୟେକ ବର୍ଷ ଶୀତ ଋତୁରେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣକୁ ଅତିଥି ରୂପେ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଥାଏ। ଏହି କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଙ୍ଗ୍ ପ୍ରକ୍ରିୟା। ପ୍ରଥମ ଦିନରେ ୧୧ ଗୋଟି ଲେଖାଏଁ ପୁରୁଷ ଏବଂ ମହିଳା ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଙ୍ଗ କରାଯାଇଥିବା ବ୍ରହ୍ମପୁର ଏସିଏଫ୍ ଅଶୋକ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବନବିଭାଗ ଏବଂ ଜିଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ କଇଁଛଙ୍କ ଟ୍ୟାଗିଙ୍ଗ ପ୍ରକ୍ରିୟା ଜାରି ରହିଛି। ଏହାଦ୍ବାରା ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପରେ ତାଙ୍କ ଗତିପଥ ଉପରେ ନଜର ରଖାଯାଇ ପାରିବ ବୋଲି ବନ ବିଭାଗ କହିଛି। ଇତିମଧ୍ୟରେ ପ୍ରାୟ ୧,୫୫୬ଟି ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଙ୍ଗ କରାଯାଇଥିବା ବେଳେ ଏଥିରେ ଗୋପାଳପୁର ଜିଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଯୁବ ବୈଜ୍ଞାନିକ ଡା. ଅନିଲ ମହାପାତ୍ର ଏବଂ ତାଙ୍କ ଟିମ୍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।