ବିଡବ୍‌ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌: ଟପ୍ ୧୦କୁ ଫେରିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଐତିହାସିକ ବିଶ୍ୱ ଚାମ୍ପିଅନ୍‌ଶିପ୍ ରୌପ୍ୟ ପଦକ ହାସଲ ଫଳରେ ଭାରତର କିଦାମ୍ବୀ ଶ୍ରୀକାନ୍ତ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ଫେଡେରେସନ୍ (ବିଡବ୍ଲ୍ୟୁଏଫ୍‌)ର ସଦ୍ୟତମ ର‌୍ୟାଙ୍କିଙ୍ଗ୍‌ରେ ଚାରିଟି ସ୍ଥାନର ଉନ୍ନତି ସହ ଟପ୍ ୧୦କୁ ଫେରିଛନ୍ତି । ନିକଟରେ ସ୍ପେନ୍‌ର ହୁଏଭାଠାରେ ଶେଷ ହୋଇଥିବା ଚାମ୍ପିଅନ୍‌ଶିପ୍‌ର ଫାଇନାଲ୍‌ରେ ପ୍ରବେଶ କରିବା ଫଳରେ ୨୯ ବର୍ଷୀୟ ଶ୍ରୀକାନ୍ତ ର‌୍ୟାଙ୍କିଙ୍ଗ୍‌ର ୧୦ମ ସ୍ଥାନରେ ପହଞ୍ଚିଛନ୍ତି ।

ସେହିପରି ଚାମ୍ପିଅନ୍‌ଶିପ୍‌ରେ ପ୍ରଥମ ଆବିର୍ଭାବରେ ବ୍ରୋଞ୍ଜ୍ ପଦକ ଜିତିଥିବା ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନ୍ ଦୁଇଟି ସ୍ଥାନର ଉନ୍ନତି ସହ ୧୭ ନମ୍ବରରେ ପହଞ୍ଚିଛନ୍ତି । ମାତ୍ର ବି ସାଇ ପ୍ରଣୀତ ଦୁଇଟି ସ୍ଥାନର କ୍ଷତି ସହ ୧୮ତମ ସ୍ଥାନକୁ ଖସି ଆସିଛନ୍ତି । ଚାମ୍ପିଅନ୍‌ଶିପ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଥିବା ଏଚ୍‌ଏସ୍ ପ୍ରଣୟ ଛଅଟି ସ୍ଥାନ ଉପରକୁ ଉଠି ୨୬ତମ ସ୍ଥାନରେ ପହଞ୍ଚିଛନ୍ତି । ମହିଳା ସିଙ୍ଗଲ୍ସରେ ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ତଥା ଗତ ଥରର ଚାମ୍ପିଅନ୍ ପିଭି ସିନ୍ଧୁ ପୂର୍ବପରି ୭ମ ସ୍ଥାନରେ ସ୍ଥିର ଥିବାବେଳେ ଆହତ ସମସ୍ୟାରୁ ସୁସ୍ଥ ହୋଇଥିବା ସାଇନା ନେହ୍ୱାଲ୍ ୨୫ତମ ସ୍ଥାନରେ ରହିଛନ୍ତି ।

ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀଙ୍କ ଯୋଡ଼ି ଗୋଟିଏ ସ୍ଥାନର କ୍ଷତି ସହ ୧୦ମ ସ୍ଥାନରେ ରହିଛନ୍ତି । ସେହିପରି ମହିଳା ର‌୍ୟାଙ୍କିଙ୍ଗ୍‌ରେ ଅଶ୍ୱିନୀ ପୋନାପ୍ପା ଓ ଏନ୍ ସିକ୍କି ରେଡ୍ଡୀ ଟପ୍ ୨୦ରେ ସେମାନଙ୍କ ସ୍ଥାନ ଫେରି ପାଇଛନ୍ତି ।