ଅନ୍‌ଲାଇନ୍ ଅନ୍ତର୍ଜାତୀୟ ଗ୍ଲୋବାଲ୍ ଟାଏକ୍ୱୋଣ୍ଡୋ ଚାମ୍ପିଅନ୍‌ଶିପ୍‌, ଖୋର୍ଦ୍ଧାରୁ ୩୦ ଖେଳାଳି ମନୋନୀତ

ଜଟଣୀ,ଏନ୍ଏନ୍ଏସ୍: ଥାଇଲାଣ୍ଡ୍‌ର ହିରୋଜ୍ ଟାଏକ୍ୱୋଣ୍ଡୋ ସଂଗଠନ ଓ ପୁରୀର ଓଡ଼ିଶା ଟାଏକ୍ୱୋଣ୍ଡୋ ସଂଘ ପକ୍ଷରୁ ଯୁଗ୍ମ ଭାବେ ବୁଧବାରଠାରୁ ଥାଇଲାଣ୍ଡଠାରେ ଆରମ୍ଭ ହୋଇଛି ପ୍ରଥମ ଅନ୍ତର୍ଜାତୀୟ ଗ୍ଲୋବାଲ୍ ଟାଏକ୍ୱୋଣ୍ଡୋ ଅନ୍‌ଲାଇନ୍ ଚାମ୍ପିଅନ୍‌ଶିପ୍ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଚାମ୍ପିଅନ୍‌ଶିପ୍‌ଟି ଦୁଇଟି ବିଭାଗ ଅର୍ଥାତ୍ ପୁମ୍‌ସି ଓ ସ୍ପିଡ୍‌କିକ୍‌ରେ ଖେଳାଯିବ ।

ଚାମ୍ପିଅନ୍‌ଶିପ୍ ପାଇଁ ଥାଇଲାଣ୍ଡ୍‌ର ଜିଏମ୍‌ଏସି ସିଷ୍ଟମ୍‌ର ସହାୟତା ନିଆଯାଇଥିବା ବେଳେ ଏଥିରେ ଭାରତ ସମେତ ବିଶ୍ୱର ୧୪ଟି ଦେଶର ମୋଟ ୯୯୬ ପ୍ରତିଯୋଗୀ (ପୁରୁଷ ଓ ମହିଳା) ଅଂଶଗ୍ରହଣ କରୁଛନ୍ତି । ବିଶ୍ୱର ୯ଟି ଦେଶର ଅନ୍ତର୍ଜାତୀୟ ରେଫରି ଏହି ଚାମ୍ପିଅନ୍‌ଶିପ୍ ପରିଚାଳନା କରୁଛନ୍ତି । ଏହି ଚାମ୍ପିଅନ୍‌ଶିପ୍‌ରେ ଖୋର୍ଦ୍ଧା ଜିଲ୍ଲା (ଜଟଣୀ) ଟାଏକ୍ୱୋଣ୍ଡୋ ସଂଘର ୩୦ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି । ସେମାନେ ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ଚାମ୍ପିଅନ୍‌ଶିପ୍‌ରେ ସେମାନଙ୍କ ଇଭେଣ୍ଟ୍‌ରେ ସାମିଲ୍ ହେବେ ବୋଲି ସମ୍ପାଦକ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି ।