ଶୀତ ଲହର କବଳରେ ଓଡ଼ିଶା, ୧୦ଂ ତଳେ ୧୭ ସହର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। କ୍ରମାଗତ ଚତୁର୍ଥ ଦିନରେ ଅଧାରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା ପରିଲିକ୍ଷିତ ହୋଇଛି। ୧୮ ତାରିଖରେ ୧୨ ସହରରେ ପାରଦ ୧୨ ଡିଗ୍ରୀ ତଳେ ଥିବାେବେଳେ ୧୯ରେ ୯ ସହରରେ ପାରଦ ୧୨ ଡିଗ୍ରୀ ତଳେ ଥିଲା। ସେହିପରି ୨୦ ତାରିଖରେ ୧୩ ସହରରେ ପାରଦ ୧୦ ଡିଗ୍ରୀ ତଳକୁ ଆସିଥିବାବେଳେ ୨୧ରେ ୭ ଡିଗ୍ରୀ ତଳେ ରାଜ୍ୟର ୭ ସହର ରହିଥିଲା ଏବଂ ମୋଟ ୨୩ ସହରରେ ପାରଦ ୧୨ ଡିଗ୍ରୀ ତଳେ ଥିଲା।

ଗତ ୨୪ ଘଣ୍ଟାରେ ମଧ୍ୟ ରାଜ୍ୟରେ ପାରଦ ଅହେତୁକ ଭାବେ ତଳକୁ ଖସିଛି । ୧୭ ସହରରେ ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀରେ ପାରଦ ୩.୬ ଡିଗ୍ରୀ ରହିଛି । ଏହାବାଦ୍ ବାକି ଥଣ୍ଡା ସହରଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ଏହାସହ ବାଲେଶ୍ୱରରେ ୧୧.୧ ଡିଗ୍ରୀ, ଚାନ୍ଦବାଲିରେ ୯.୭ , କଟକରେ ୧୦.୬, ପାରଦ୍ୱୀପରେ ୧୨.୪, ଭୁବନେଶ୍ୱରରେ ୧୦.୧, ଗୋପାଳପୁରରେ, ୧୧.୮, ପୁରୀରେ ୧୪.୪, ଅନୁଗୁଳରେ ୮.୦, ବାରିପଦାରେ ୧୦.୪, ଝାରସୁଗୁଡ଼ାରେ ୬.୦, କେନ୍ଦୁଝରରେ ୬.୪, ସମ୍ବଲପୁରରେ ୮.୮, ସୁନ୍ଦରଗଡ଼ରେ ୬.୦, ହିରାକୁଦରେ ୮.୪, ତାଲଚେରରେ ୯.୦, ଭବାନୀପାଟଣାରେ ୬.୮, ବଲାଙ୍ଗୀରରେ ୮.୫, କୋରାପୁଟରେ ୭.୦, ଟିଟିଲାଗଡ଼ରେ ୬.୫, ମାଲକାନଗିରିରେ ୮.୦, ସୋନପୁର ୬.୪, ନୟାଗଡ଼ରେ ୮.୦, ବୌଦ୍ଧ ୮.୦, ଛତ୍ରପୁର ୧୧.୦, ପାରଳାଖେମୁଣ୍ଡିରେ ତାପମାତ୍ରା ୧୩.୦ ଡିଗ୍ରୀ ରେକର୍ଡ ହୋଇଛି ।

ଶୀତର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଆସନ୍ତାକାଲି ପରଠାରୁ ରାଜ୍ୟରେ ଶୀତ ପରିମାଣ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ମୁଖ୍ୟତଃ ଏବେ ପାରଦ ତଳମୁହାଁ ହୋଇଥିବାବେଳେ ଆସନ୍ତା ୨୫ ତାରିଖରୁ ଥଣ୍ଡା ସାମାନ୍ୟ ଭାବେ କମିବା ସମ୍ଭାବନା ରହିଛି । ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଘନକୁହୁଡ଼ି ରାଜ୍ୟ ସାରା ନଜରକୁ ଆସିବ । ବିଶେଷକରି ଆଗାମୀ ୨ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।