ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ନୋର୍ଜେ ଆଉଟ୍

ଜୋହାନ୍ସବର୍ଗ,ଏଜେନ୍ସି: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ସାଉଥ୍ ଆଫ୍ରିକାକୁ ବଡ଼ ଧକ୍କା ଲାଗିଛି। ଟିମ୍‌ର ଫାଷ୍ଟ ବୋଲର୍ ଆନ୍‌ରିକ୍ ନୋର୍ଜେ ଆହତ କାରଣରୁ ମଙ୍ଗଳବାର ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। କ୍ରିକେଟ୍ ସାଉଥ୍ ଆଫ୍ରିକା ଏହି ସୂଚନା ଦେଇଛି। କ୍ରିକେଟ୍ ସାଉଥ୍ ଆଫ୍ରିକା ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ‘ପୂର୍ବ ଆଘାତ କାରଣରୁ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ଟିମ୍‌ରେ ନିଆଯିବ ନାହିଁ।’

ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ୨୬ ତାରିଖରୁ ସେଞ୍ଚୁରିଅନ୍‌ରେ ଆରମ୍ଭ ହେବ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଜୋହାନ୍ସବର୍ଗରେ ଜାନୁଆରୀ ୩ରୁ ଏବଂ ତୃତୀୟ ମ୍ୟାଚ୍ କେପ୍‌ଟାଉନ୍‌ରେ ଜାନୁଆରୀ ୧୧ ତାରିଖରୁ ଅନୁଷ୍ଠିତ ହେବ। ୧୨ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ନୋର୍ଜେ ତିନି ଥର ୫ ୱିକେଟ୍ ସଫଳତା ସହ ୪୭ଟି ୱିକେଟ୍ ହାସଲ କରି ସାରିଛନ୍ତି। ସେହିପରି ସାଉଥ୍ ଆଫ୍ରିକା ପକ୍ଷରୁ ସେ ୧୨ଟି ଦିନିକିଆ ୧୬ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ତାଙ୍କ ସ୍ଥାନରେ କାଗିସୋ ରବାଡା ବକ୍ସିଂ ଡେ’ ଟେଷ୍ଟରେ ଟିମ୍‌ର ବୋଲିଂ ଆକ୍ରମଣର ନେତୃତ୍ୱ ନେବେ।

କରୋନା ସଂକ୍ରମଣ କାରଣରୁ ଟେଷ୍ଟ ସିରିଜ୍ ସହ ଜାନୁଆରୀ ୧୯ ତାରିଖରୁ ଉଭୟ ଟିମ୍ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଉଭୟ ଦେଶର ବୋର୍ଡ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଥିବା କ୍ରିକେଟ୍ ସାଉଥ୍ ଆଫ୍ରିକା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।