ଆଡିଲେଡ୍,ଏଜେନ୍ସି: ଆଡିଲେଡ୍ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟର ପ୍ରଥମ ଇନିଂସ୍ରେ ମାତ୍ର ୧୬.୧ ଓଭର୍ରେ ୩୭ ରନ୍ ଦେଇ ୪ଟି ୱିକେଟ୍ ହାସଲ କରି କଙ୍ଗାରୁ ବୋଲର୍ ମିଚେଲ୍ ଷ୍ଟାର୍କ ଇତିହାସ ରଚିଛନ୍ତି। ଷ୍ଟାର୍କ (୯ମ ମ୍ୟାଚ୍) ପିଙ୍କ୍ ବଲ୍ (ଦିବା/ରାତ୍ର) ଟେଷ୍ଟ କ୍ରିକେଟ୍ରେ ୫୦ ୱିକେଟ୍ ହାସଲ କରିବାରେ ପ୍ରଥମ ବୋଲର୍ ହୋଇଛନ୍ତି। ଏହି କ୍ଷେତ୍ରରେ ଅଷ୍ଟ୍ରେଲିଆର ଅନ୍ୟତମ ଫାଷ୍ଟ ବୋଲର୍ ଜୋଶ୍ ହେଜଲଉଡ୍ ଦ୍ୱିତୀୟ ଓ ନାଥନ୍ ଲିଅନ୍ ତୃତୀୟରେ ରହିଛନ୍ତି। ଉଭୟ ପିଙ୍କ୍ ବଲ୍ ଟେଷ୍ଟ କ୍ରିକେଟ୍ରେ ୩୨ଟି ଲେଖାଏଁ ନେଇଛନ୍ତି।
ଅନ୍ୟପକ୍ଷରେ ଷ୍ଟାର୍କ ୬୩ଟି ଟେଷ୍ଟ ଖେଳି ୨୬୨ଟି ୱିକେଟ୍ ନିଜ ନାମରେ କରିଛନ୍ତି। ସକ୍ରିୟ ଟେଷ୍ଟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୱିକେଟ୍ କ୍ଷେତ୍ରରେ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଟେଷ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ସକ୍ରିୟ ବୋଲର୍ ତାଲିକା ଶୀର୍ଷରେ ଇଂଲଣ୍ଡର ଜେମ୍ସ ଆଣ୍ଡର୍ସନ୍ ଥିବା ବେଳେ ସେ ଅଦ୍ୟାବଧି ୬୩୪ଟି ୱିକେଟ୍ ନେଇସାରିଛନ୍ତି। ଆଣ୍ଡର୍ସନ୍ଙ୍କ ଦଳୀୟ ସାଥୀ ଷ୍ଟୁଆର୍ଟ ବ୍ରଡ୍ ୫୨୫ଟି ୱିକେଟ୍ ସହ ଦ୍ୱିତୀୟ ଓ ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ ୪୨୭ଟି ୱିକେଟ୍ ନେଇ ତୃତୀୟରେ ଅଛନ୍ତି।